ଜଗତ୍ସିଂହପୁର ଅଫିସ, ୨୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ହୋଇପାରିବେ ନାହିଁ ବୋଲି ନିୟମ ରହିଛି। କିନ୍ତୁ ଜଗତ୍ସିଂହପୁର ଜିଲାରେ ଏଥିରେ ବ୍ୟତିକ୍ରମ ଘଟିଛି। ବିଜେଡି ଜିଲା ସଭାପତିଙ୍କ ନାମରେ ଥିବା ପ୍ୟାଡ୍ରେ ନାଉଗାଁ ବ୍ଲକର ୧୬ରୁ ୧୩ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମ ରହିଛି। ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏଥିରେ ଦଳର ଜିଲା ସଭାପତି ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଦସ୍ତଖତ ଓ ସିଲ୍ ରହିଛି। ଏଥିରେ ବିଜେଡିର କର୍ମୀ ସମ୍ମିଳନୀ, କର୍ମୀମାନଙ୍କ ମତାମତ ଓ ଜିତିବାର ଆଭିମୁଖ୍ୟକୁ ଭିତ୍ତିକରି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିମ୍ନମତେ ସ୍ଥିର କରାଗଲା ବୋଲି ଉଲ୍ଲେଖ ରହିଛି। ଦଳର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରାଯାଇଛି। ତଳେ ଅଲଣା, ନୂଆଗାଁ, ଗଜରାଜପୁର, ରୋହିଆ, ବଛାଳୋ, ଜାମୁଗାଁ, ଘୋଡାଂଶ, ନାଉଗାଁ, ତିରୁଣା, ଡେରିକି, କୋରୁଅ, ଡାବର ଓ ଶିଖର ପଞ୍ଚାୟତର ବିଜେଡି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମ ସ୍ପଷ୍ଟ ଭାବେ ଲେଖାଯାଇଛି। ଏହା ଏକ ନକଲି ପ୍ୟାଡ୍ ବୋଲି ଦଳର ଜିଲା ସଭାପତି ମୁଦୁଲି କହିଛନ୍ତି।