ଝୁଲୁଛି ଭାଜପା, କଂଗ୍ରେସର ପ୍ରାର୍ଥୀ ତାଲିକା

ନୟାଗଡ଼,୩୧ା୩ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବାବେଳେ ଭାଜପା ଓ କଂଗ୍ରେସ ପକ୍ଷରୁ କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦିଆଯାଇ ପାରିନାହିଁ। ସବୁ ନିର୍ବାଚନମଣ୍ଡଳୀରେ ୨ ଜାତୀୟ ଦଳର ପ୍ରାର୍ଥୀ ତାଲିକା ଝୁଲିରହିଛି। କାହାକୁ ଟିକେଟ ଦେଲେ ଦଳ ଶାସକ ବିଜେଡି ଦଳର ପ୍ରାର୍ଥୀଙ୍କୁ ମୁକାବିଲା କରି ବାଜିମାରିବ ସେନେଇ ଜୋରଦାର ସମୀକ୍ଷା ଓ ଅଙ୍କକଷା ଛିଣ୍ଡୁନି। ସେପଟେ ରଣପୁର, ନୟାଗଡ଼ ଓ ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଦେଇ ପ୍ରଚାରରେ ଆଗୁଆ ରହିଛି। ଏଠାରେ ପ୍ରାର୍ଥୀମାନେ ପ୍ରଚାରକୁ ତ୍ୱରାନ୍ବିତ କରି ସାରିଲେଣି। ଅନ୍ୟପକ୍ଷେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଦେଇପାରିନାହିଁ। ଏହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପାଇଁ ଅନେକ ଆଶାୟୀ ରହିଥିବାବେଳେ ବିଜେଡି ଦଳ କାହାକୁ ଟିକେଟ ଦେଉଛି ଦେଖିବାର ରହିଲା। ଏଭଳିସ୍ଥଳେ ଆଶାୟୀ ପ୍ରାର୍ଥୀ ଟିକେଟ ପାଇବାକୁ କସରତ ଜାରି ରଖିଥିବାବେଳେ ସେପଟେ ପ୍ରଚାର ଓ ଭୋଟରଙ୍କ ସହ ସମୟ ବିତାଇବାକୁ ପାଉନାହାନ୍ତି।
ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀ ୩ଟି ଲୋକ ସଭା ଆସନରେ ରହିଛି। କଟକ ଲୋକ ସଭା ଅଧୀନରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ରହିଥିବାବେଳେ କନ୍ଧମାଳ ଲୋକ ସଭା ଅଧୀନରେ ଦଶପଲ୍ଲା ନିର୍ବାଚନମଣ୍ଡଳୀ ରହିଛି। ସେହିପରି ପୁରୀ ଲୋକ ସଭା ଅଧୀନରେ ନୟାଗଡ଼ ଓ ରଣପୁର ନିର୍ବାଚନମଣ୍ଡଳୀ ରହିଛି। ଜିଲାର ୪ଟି ଯାକ ନିର୍ବାଚନମଣ୍ଡଳୀ ଓ ୩ଟି ଲୋକ ସଭା ଆସନ ବିଜେଡିର ବିଧାୟକ ଓ ଏମ୍‌ପିଙ୍କ ଅଧୀନରେ ଅଛି। ମୋଟାମୋଟି ଭାବେ ନୟାଗଡ଼ ଜିଲା ପୂରା ବିଜେଡି ଦଖଲରେ ରହି ବିଜେଡିର ଦୁର୍ଗ ପାଲଟିଛି। ୩ ଏମ୍‌ପି ସିଟ୍‌ ମଧ୍ୟରୁ କଟକ ପାଇଁ ସଂତୃପ୍ତ ମିଶ୍ର, କନ୍ଧମାଳ ପାଇଁ ଅଚ୍ୟୁତ ସାମନ୍ତ ଓ ପୁରୀ ପାଇଁ ଅରୂପ ପଟ୍ଟନାୟକ ଏମ୍‌ପି ପ୍ରାର୍ଥୀ ଭାବେ ଟିକେଟ ପାଇ ସାରଛିନ୍ତି। କଟକ ଓ ପୁରୀ ଲୋକ ସଭା କ୍ଷେତ୍ର ପାଇଁ ଏମ୍‌ପି ପ୍ରାର୍ଥୀ କେବଳ ବଦଳିଛନ୍ତି। ଅନ୍ୟପକ୍ଷେ ଜିଲାର ୪ଜଣ ବିଧାୟକଙ୍କ ମଧ୍ୟରୁ ନୟାଗଡ଼ ପାଇଁ ଅରୁଣ କୁମାର ସାହୁ, ରଣପୁର ପାଇଁ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ପାଇଁ ରମେଶ କୁମାର ବେହେରା ବିଜେଡି ଟିକେଟ ପାଇ ସାରିଛନ୍ତି। କେବଳ ବାକି ରହିଛି ଖଣ୍ଡପଡା। ଏଠାର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ବହିଷ୍କାର କରିଥିବା ବେଳେ କେହି ଟିକେଟ ପାଇନାହାନ୍ତି। ସେହିପରି ଭାଜପା ପକ୍ଷରୁ ୩ ଲୋକସଭା ଆସନ ଲାଗି ପୁରୀରୁ ସମ୍ବିତ ପାତ୍ର, କଟକରୁ ଭର୍ତ୍ତୃହରି ମହତାବ, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଏମ୍‌ପି ପ୍ରାର୍ଥୀ ଭାବେ ଘୋଷଣା କରିଛି।

Share