ଚଣ୍ଡିଗଡ଼,୩ ।୧୦: ପଞ୍ଜାବର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବେ ଆକ୍ସନ ମୁଡରେ । ଚନ୍ନି ଯେଉଁ ସରକାରୀ କର୍ମଚାରୀଙ୍କ ନାଁରେ ଦୁର୍ନୀତି ମାମଲା ରହିଛି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ତାଲିକା ପ୍ରସ୍ତୁତ ହେବା ପରେ ସେଭଳି କର୍ମଚାରୀଙ୍କୁ ସର୍ବସାଧାରଣ କାରବାର କରୁଥିବା ପଦବୀରୁ ହଟାଇ ରେକର୍ଡ ରୁମ ଭଳି ସ୍ଥାନରେ କାମ ଦିଆଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ପଞ୍ଜାବରେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ସାଧାରଣ ଜନତାଙ୍କ ନିକଟରୁ ମିଳିଥିବା ଫିଡବ୍ୟାକ ଆଧାରରେ ଚନ୍ନି ଏଭଳି ପଦକ୍ଷେପ ନେଇଛନ୍ତି । ନିକଟରେ ସେ ଏହା ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ । ଜନତାଙ୍କର ଅଭିଯୋଗ ଥିଲା କି ବିନା କୌଣସି କାରଣରେ ସରକାରୀ ବାବୁମାନେ ସେମାନଙ୍କ କାମ ଝୁଲାଇ ରଖୁଛନ୍ତି । ଏମିତିକି ବେଳେ ବେଳେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ସହ ସାଧାରଣ ଲୋକଙ୍କୁ ବହୁବାର ଗୋଟିଏ କାମ ପାଇଁ ଦୌଡିବାକୁ ପଡୁଛି । ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚନ୍ନି ସରକାରୀ ବାବୁମାନଙ୍କୁ ଠିକ୍ ସମୟରେ ଅଫିସ ଆସିବା ଓ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅଫିସରେ ରହିବାକୁ ନିର୍ଦ୍ଦେଶ ଜାରି କରିଥିଲେ ।