Categories: ଜାତୀୟ

ଜେଡିୟୁ, ଆର୍‌ଜେଡି ପ୍ରାର୍ଥୀ ତାଲିକା ଘୋଷିତ

ପାଟନା,୬।୧୦: ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ସୋମବାର ଜେଡିୟୁ ଓ ଆର୍‌ଜେଡି ପକ୍ଷରୁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି। ଆର୍‌ଜେଡି ପକ୍ଷରୁ ୧୫ ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଦଳର ବରିଷ୍ଠ ନେତା ଶିବାନନ୍ଦ ତିଓ୍ବାରୀଙ୍କ ପୁଅ ରାହୁଲ ତିଓ୍ବାରୀ, ଜଗଦାନନ୍ଦ ସିଂଙ୍କ ପୁଅ ସୁଧାକର ସିଂଙ୍କୁ ସାମିଲ କରାଯାଇଛି। ଏ ଦୁହେଁ ଯଥାକ୍ରମେ ଶାହପୁର ଓ ରାମ୍‌ଗଡ଼ରୁ ପ୍ରାର୍ଥୀ ହୋଇଛନ୍ତି। ସାବିତ୍ରୀ ଦେବୀଙ୍କୁ ଚକାଇ, ସୁଦୟ ଯାଦବଙ୍କୁ ଜାହାନାବାଦ, ରାମବିଷ୍ଣୁ ସିଂଙ୍କୁ ଜଗଦୀଶପୁର, ବିଜୟ ସମ୍ରାଟଙ୍କୁ ଶେଖ୍‌ପୁରା, ବିଜୟ ପ୍ରକାଶଙ୍କୁ ଜାମୁଇରୁ ପ୍ରାର୍ଥୀ କରାଯାଇଛି।
ସେହିଭଳି ଜେଡିୟୁ ପକ୍ଷରୁ ୨୫ ଜଣିଆ ନାମତାଲିକା ସୋମବାର ଘୋଷଣା କରାଯାଇଛି। ଏଥିରେ କୌଶଲ କୁମାରଙ୍କୁ ନଓ୍ବାଡା, ଜୟକୁମାର ସିଂଙ୍କୁ ଦିନାରା, ରାଜୀବଲୋଚନଙ୍କୁ ମୋକାମା, ଦାମୋଦର ରାଓ୍ବତଙ୍କୁ ଝାଝାରୁ ପ୍ରାର୍ଥୀ କରାଯାଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ୨୮ରେ ହେବାକୁ ଥିବାବେଳେ ଟିକେଟ ଲବି ଜୋର୍‌ ଧରିବାରେ ଲାଗିଛି।

 

Share