ପିଲାଙ୍କୁ ଶୁଣାନ୍ତୁ ଗପ

ଆଜିକାଲି ଡିଜିଟାଲ ଯୁଗରେ ପିଲାମାନେ ଅଧିକାଂଶ ସମୟ ଫୋନ୍‌, ଟିଭି, କମ୍ପ୍ୟୁଟର ଆଗରେ କଟାଉଛନ୍ତି। ଏସବୁର ଭଲ ପ୍ରଭାବ ସହିତ କୁପ୍ରଭାବ ବି ରହିଛି। ତେଣୁ ପିଲାଙ୍କୁ ନିଜେ ଗପ ଶୁଣାଇବାର ଅଭ୍ୟାସ କରନ୍ତୁ । ଫଳରେ ପିଲା ସହିତ ଆପଣଙ୍କର ସମ୍ପର୍କ ଅଧିକ ନିବିଡ଼ ହେବା ସହ ଗପ ମାଧ୍ୟମରେ ପିଲା ବି ଅନେକ କଥା ଶିଖିପାରିବ।
ଗପ ଶୁଣାଇବା ଦ୍ୱାରା ପିଲାମାନେ ଉଦାହରଣ ମାଧ୍ୟମରେ ବହୁତ କିଛି ଶିକ୍ଷା କରନ୍ତି ଏବଂ ସେମାନଙ୍କ ଗୁଣ ଓ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ।
ଗପ ଶୁଣିବା ଫଲରେ ପିଲାଙ୍କର ଲାଙ୍ଗୁଏଜ୍‌ ସ୍କିଲ୍‌ ବା ଭାଷା ଜ୍ଞାନର ବିକାଶ ହୋଇଥାଏ। ଯେଉଁ ଭାଷାରେ ପିଲାମାନେ ଗପ ଶୁଣିବେ ସେହି ଭାଷାକୁ ସେମାନେ ସହଜରେ ବୁଝି ପାରିବେ।
ଗପ ଶୁଣିବା ଫଳରେ ପିଲାଙ୍କର ଭୋକାବୁଲାରୀ ଅର୍ଥାତ୍‌ ଶବ୍ଦ ଜାଣିବାର କ୍ଷମତା ବି ବୃଦ୍ଧି ପାଇଥାଏ। ଶବ୍ଦକୁ ପଢ଼ି ମନେରଖିବା ବଦଳରେ ଗପ ମାଧ୍ୟମରେ ଶୁଣିବା ଫଳରେ ସେମାନେ ସହଜରେ ମନେ ରଖିଥାନ୍ତି।
ପିଲାମାନଙ୍କ ପକ୍ଷେ ବଡ଼ି ଲାଙ୍ଗୁଏଜ୍‌ ଜାଣିବା ପାଇଁ ବି ଗପ ସହାୟକ ହୋଇଥାଏ। ଖରାପ, ଭଲ କିମ୍ବା ପ୍ରତିକ୍ରିୟା ପ୍ରକାଶ କରିବା ଶୈଳୀକୁ ମଧ୍ୟ ପିଲାମାନେ ଗପ ଶୁଣିବା ଦ୍ୱାରା ଶିଖିଥାନ୍ତି।
କୌଣସି ଘଟଣାରେ ମୁହଁର ଭାବକୁ ଦେଖି ସହଜରେ ବୁଝିପାରିବା ଏତେ ସହଜ ନୁହେଁ। କିନ୍ତୁ ବିଭିନ୍ନ ପ୍ରକାରର କାହାଣୀ ଶୁଣିବା ପରେ ପିଲାଙ୍କ ମଧ୍ୟରେ ଏହି କ୍ଷମତା ବି ବିକଶିତ ହୋଇଥାଏ।
ପିଲାମାନେ ସବୁବେଳେ ଗପ ଶୁଣିବା ଫଳରେ ସେମାନଙ୍କର କହିବା ଶକ୍ତି ବି ବୃଦ୍ଧି ପାଇଥାଏ। ତେଣୁ ସେମାନଙ୍କର କମ୍ୟୁନିକେସନ୍‌ ସ୍କିଲ୍‌ ବା ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବା କ୍ଷମତା ବୃଦ୍ଧି ପାଇଥାଏ। ଭବିଷ୍ୟତରେ ଏହି ଗୁଣ ସେମାନଙ୍କୁ ସାହାଯ୍ୟ କରିଥାଏ।
ସବୁଦିନ ଭିନ୍ନ ଭିନ୍ନ ପ୍ରକାରର ଗପ ଶୁଣିବା ଫଳରେ ପିଲାଙ୍କର ଭଲ ଗୁଣର ଅଧିକ ବିକାଶ ହୋଇଥାଏ। କାହାଣୀ ମାଧ୍ୟମରେ ପିଲାଙ୍କୁ ବିଭିନ୍ନ କଥାର ଉଦାହରଣ ଦେଇ ବହୁତ କିଛି ଶିକ୍ଷା ଦିଆଯାଇପାରେ।