୧ ହଜାର ଦୀପ ଜାଳି ଦୀପାବଳି ପାଳନ କଲେ ଛାତ୍ରୀଛାତ୍ର

କୁଆଁରମୁଣ୍ଡା,୧୨।୧୧(ମହେନ୍ଦ୍ର କୁମାର ସାହୁ): ଆଲୋକର ପର୍ବ ଦୀପାବଳି। ସବୁଠି ଉତ୍ସବ ମୁଖର। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ ପଦମପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହୋଇଛି ଦିପାବଳୀ। ସ୍କୁଲର ଛାତ୍ରୀଛାତ୍ରମାନେ ୧ ହଜାର ଦୀପ ଜାଳି ଆନନ୍ଦର ପର୍ବ ଦୀପାବଳିକୁ ଖୁବ୍‌ ଧୂମଧାମ୍‌ରେ ପାଳନ କରିଛନ୍ତି। ଏହି ଅବସରରେ ଛାତ୍ରୀଛାତ୍ରମାନେ ସବୁଜ ବାଣ ବିଶେଷ କରି ଝୁରିଝୁରି, ଚକ୍ରି, କୁମ୍ପି ଆଦି ନ୍ୟୁନ୍‌ ପ୍ରଦୂଷଣକାରୀ ବାଣ ଫୁଟାଇ ପରସ୍ପରକୁ ଦୀପାବଳି ଅଭିନନ୍ଦନ ଜଣାଇଛନ୍ତି।

ସ୍କୁଲ ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଖେଚୁଡି ସାଙ୍ଗକୁ ମିଠା ପ୍ରଦାନ କରାଯାଇଥିଲା। ଏଥିରେ ସ୍କୁଲର ପ୍ରାୟ ୩ଶହ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ ସାମିଲ ଥିଲେ। ପଦମପୁର ସମିତି ସଭ୍ୟ ଖଗେଶ୍ବର ଅମାତ କହିଛନ୍ତି, ସ୍କୁଲରେ ଦୀପାବଳି ପାଳନ କରିବା ନିଶ୍ଚିତ ଭାବେ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ। ସ୍କୁଲର ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ସାମଲଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସମିତି ସଭ୍ୟ ଅମାତ କହିଛନ୍ତି। ଅନୁରୂପ ଭାବେ ସ୍କୁଲର ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ସାମଲ କହିଛନ୍ତି, ଗ୍ରାମାଞ୍ଚଳର ଗରିବ ପିଲାଙ୍କ ଇଚ୍ଛା ପୂରଣ ସହ ସେମାନଙ୍କ ଜୀବନରୁ କିଭଳି ଅଜ୍ଞାନ ରୂପକ ଅନ୍ଧକାର ଦୂର କରାଯାଇ ଜ୍ଞାନର ଆଲୋକ ପ୍ରଦାନ କରିବାକୁ ସ୍କୁଲ ପକ୍ଷରୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।

Share