Categories: ଫୁରସତ

ସାକ୍ଷରତା ହିଁ ବିକାଶ

ସାକ୍ଷରତା ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଦେଶର ବିକାଶ ପାଇଁ ଏହା ଅତୀବ ଗୁରୁତ୍ୱପୂର୍ଣ୍ଣ। ସାକ୍ଷରତା ହାର ଯେଉଁଠି ଯେତେ ଅଧିକ ତାହା ସେତେ ବିକଶିତ। ଏହା ନୂତନ ପିଢ଼ି ହୋଇଥାଏ ସୃଜନଶୀଳ। ନୂଆ ଓ ଉଜ୍ଜ୍ୱଳ ଭବିଷ୍ୟତକୁ ଫିଟିଥାଏ। ତେଣୁ ଏହା ମାଧ୍ୟମରେ ସହଜରେ ବିକାଶ ଲକ୍ଷ୍ୟ ହାସଲ କରାଯାଇପାରିଥାଏ। ସାକ୍ଷରତାର ଗୁରୁତ୍ୱ ଉପଲବ୍ଧ କରି ଅନ୍ତର୍ଜାତୀୟସ୍ତରରେ ଜାତିସଂଘର ୟୁନେସ୍କୋ ସାଧାରଣ ସମ୍ମିଳନୀ ୧୪ ତମ ଅଧିବେଶନରେ ୧୯୬୬ ଅକ୍ଟୋବର ୨୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନିଷ୍ପତ୍ତି ଆଧାରରେ ପ୍ରତିବର୍ଷ ସେପ୍ଟେମ୍ବର ୮କୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା। ଏହାପରେ ୧୯୬୭ଠାରୁ ପ୍ରତିବର୍ଷ ସାକ୍ଷରତା ଅଭିଯାନକୁ ଆଗେଇ ନେବାକୁ ଏହି ଦିବସ ପାଳନ କରାଯାଉଛି।
ପ୍ରାୟ ୭୭୫ ନିୟୁତ ଲୋକ ନିରକ୍ଷର ରହିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ତୃତୀୟାଂଶ ହେଉଛନ୍ତି ମହିଳା। ୟୁନେସ୍କୋର ଶିକ୍ଷା ମନିଟରିଂ ରିପୋର୍ଟ ଅନୁଯାୟୀ ବିଶ୍ୱରେ ସର୍ବନିମ୍ନ ସାକ୍ଷରତା ହାର ଥିବା ଦେଶଗୁଡ଼ିକ ମଧ୍ୟରେ ବୁର୍କିନା ଫାସୋ, ନାଇଜର ଏବଂ ମାଲି ଆଦି ଦେଶ ରହିଛି। ଏହି ରିପୋର୍ଟରେ ନିରକ୍ଷରତା ଏବଂ ଭୟଙ୍କର ଦାରିଦ୍ର୍ୟ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଯାଇଛି। ୨୦୧୫ ସେପ୍ଟେମ୍ବରରେ ଜାତିସଂଘ ପକ୍ଷରୁ ସାକ୍ଷରତା ଅଭିଯାନ ଲାଗି ସ୍ଥାୟୀ ବିକାଶ ଏଜେଣ୍ଡା ଗ୍ରହଣ କରାଯାଇ ଗୁଣାତ୍ମକ ଶିକ୍ଷା ତଥା ଲୋକଙ୍କ ଜୀବନରେ ଶିକ୍ଷାର ସୁଯୋଗ ପାଇଁ ଅନ୍ତର୍ଜାତୀୟସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୩୦ ସୁଦ୍ଧା ସାକ୍ଷରତା ଲକ୍ଷ୍ୟ ହାସଲ ଲାଗି ଏଥିରେ ଉଲ୍ଲେଖ କରାଯାଇଛି। ସାକ୍ଷରତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଥିବା ସଂସ୍ଥାଗୁଡ଼ିକୁ ୟୁନେସ୍କୋ ପକ୍ଷରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ସାକ୍ଷରତା ଦିବସରେ ସମ୍ମାନୀତ କରାଯାଇଥାଏ।

Share