କଟକ ଅଫିସ, ୧୫ା୫: ସାହିତି୍ୟକ, ନାଟ୍ୟକାର, ଗୀତିକାର ତଥା ଅନୁବାଦକ ନରେନ୍ଦ୍ର ବେହେରାଙ୍କ ଗତ ୧୨ ତାରିଖରେ ଜାମସେଦପୁରଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଜାମସେଦପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ଚିକିତ୍ସାଧୀକନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଜାମସେଦପୁରସ୍ଥିତ ଶ୍ମଶାନରେ କରୋନା ଗାଇଡ୍ଲାଇନ୍ ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପୁଅ ନିଷିର୍ଥ ମୁଖାଗ୍ନି ଦେଇଥିଲେ।
କଟକ ଜିଲା ଟାଙ୍ଗୀ ନିକଟସ୍ଥ ମଣିଆରେ ନରେନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ତାଙ୍କର ସ୍ତ୍ରୀ, ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର ଭାବେ ପ୍ରତିଷ୍ଠିତ। ଦୂରଦର୍ଶନରେ ତାଙ୍କର ଅନେକ ନାଟକ ଓ ‘ଆରାଧନା’ ଧାରାବାହିକ ପ୍ରସାରିତ ହୋଇଛି। ତାଙ୍କ ନାଟକ ମଧ୍ୟରେ ଡାଇନିଂ ଟେବୁଲ, ଯୌତୁକ, ଶେଷ ଫଗୁଣର ଆଳାପ, ମେଘମାଳା, ଅସ୍ତସୂର୍ଯ୍ୟ, କପେ ଚା ଅଧା ଅଧା ପ୍ରଭୃତି ଅନ୍ତର୍ଭୁକ୍ତ।ସେହିପରି ତାଙ୍କ ରଚିତ ଗଳ୍ପ ପୁସ୍ତକ ପ୍ରତୀକ୍ଷା ଓ ଗୀତିକବିତା ସଂକଳନ ପ୍ରେମ ପିଆଲା, ପୁଣ୍ୟ ପାହାଚ ଏବଂ ଅନୁବାଦ ଗ୍ରନ୍ଥ ଗୃଧ୍ର, ପ୍ରେମଚାନ୍ଦଙ୍କ କଥା ସାଗର ଓଡ଼ିଆ ସାହିତ୍ୟକୁ ଏକ ଅମୂଲ୍ୟ ଅବଦାନ। ପୁନେଇଁ ଜହ୍ନ, ପିଲାଗଉଡ ଓ ଫୁଲ ସବାରି ପ୍ରଭୃତି କ୍ୟାସେଟ୍ ମାଧ୍ୟମରେ ସେ ପ୍ରଶଂସିତ ହୋଇଛନ୍ତି। ତାଙ୍କ ବିୟୋଗରେ ଲେଖିକା ପ୍ରତିଭା ରାୟ, ସାରଳା ସାହିତ୍ୟ ସଂସଦ ପ୍ରତିଷ୍ଠାତା ଇଂ. ପ୍ରଭାକର ସ୍ବାଇଁ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ସାହିତି୍ୟକ ବିପିନ ବିହାରୀ ମିଶ୍ର, ପଦ୍ମଶ୍ରୀ ଡ. ରଜତ କର, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ ଓ ଉପସଭାପତି ସଞ୍ଜିତ କୁମାର ପଟ୍ଟନାୟକ ପ୍ରମୁଖ ଓଡ଼ିଆ ଓ ଭାରତୀୟ ସାରସ୍ବତ ଜଗତରେ ଅପୂରଣୀୟ କ୍ଷତି ବୋଲି ଶୋକବାର୍ତ୍ତାରେ କହିଛନ୍ତି।