Categories: ଜାତୀୟ

ପାଠ ପଢ଼ିଥିବା ମହିଳାଙ୍କୁ ଚାକିରି ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୧।୬ : ଏକ ଛାଡପତ୍ର ମାମଲାରେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଜଣେ ମହିଳା ପାଠପଢ଼ି ଶିକ୍ଷିତ ହୁଅନ୍ତି, ତେବେ ତାଙ୍କୁ ଚାକିରତ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଏହି ମାମଲାରେ ହାଇକୋର୍ଟରେ ସ୍ବାମୀଙ୍କଠାରୁ ଅଲଗା ରହୁଥିବା ସ୍ତ୍ରୀଙ୍କୁ ଭରଣ ପୋଷଣ ପ୍ରଦାନ କରିବାକୁ ନିମ୍ନ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ଏହାକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବମ୍ବେ ହାଇକୋର୍ଟର ବିଚାରପତି ଭାରତୀ ଡାଙ୍ଗରେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପୁଣେର ପରିବାର କୋର୍ଟ ଦେଇଥିବା ନିଷ୍ପତ୍ତିର ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ,ଜଣେ ମହିଳାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ ଚାକିରି କରିବେ କିମ୍ବା ଘରେ ରହିବେ ତାହା ଚୟନ କରିବାର ଅଧିକାର ତାଙ୍କର ଅଛି। ତାଙ୍କୁ ଚାକିରି ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ। ସେ କହିଛନ୍ତି, ଆମ ସମାଜ ଏପର୍ଯ୍ୟନ୍ତ ଗ୍ରହଣ କରି ନାହିଁ ଯେ ଜଣେ ଗୃହିଣୀ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସହଯୋଗ କରିବା ଉଚିତ୍‌।

ମହିଳା ତାଙ୍କ ବୁଦ୍ଧି ବିବେକ ଅନୁଯାୟୀ ସେ ଚାକିରି କରିବା ନିଷ୍ପତ୍ତି ନେବାର ଅଧିକାର ରହିଛି। ସେ ସ୍ନାତକ ହୋଇଥିବାରୁ ତାଙ୍କୁ ଚାକିରି କରିବାକୁ କେବେ ମଧ୍ୟ ବାଧ୍ୟ କରାଯାଇପାରିବ ନାହିଁ। ସ୍ନାତକ ହେବାର ଅର୍ଥ ନୁହେଁ ଯେ ସେ ଘରେ ବସି ପାରିବେ ନାହିଁ ଏବଂ ତାଙ୍କ ପାଇଁ ଚାକିରି ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। ନିଜର ଉଦାହରଣ ଦେଇ ବିଚାରପତି କହିଛନ୍ତି, ଆଜି ମୁଁ ଏହି କୋର୍ଟର ବିଚାରପତି। ମନେକର ମୁଁ ଆସନ୍ତାକାଲି ଘରେ ବସିବି, ତା’ହେଲେ ତୁମେ କହିବ ଯେ ମୁଁ ବିଚାରପତି ହେବାକୁ ଯୋଗ୍ୟ, ତେଣୁ ମୁଁ ଘରେ ବସି ପାରିବି ନାହିଁ? ଏହି ମାମଲାରେ ସ୍ବାମୀଙ୍କ ଆଇନଜୀବୀ ହାଇକୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ପରିବାର କୋର୍ଟ ଭୁଲ ନିର୍ଦ୍ଦେଶ ଦେଇଛନ୍ତି।

ସ୍ତ୍ରୀ ଜଣକ ସ୍ନାତକ ଏବଂ ବଞ୍ଚିବା ପାଇଁ ଏକ ଚାକିରି ନେବାକୁ ସକ୍ଷମ ବୋଲି ଆଇନଜୀବୀ କହିଥିଲେ। ସ୍ତ୍ରୀଙ୍କୁ ମାସିକ ୫ ହଜାର ଟଙ୍କା ଏବଂ ୧୩ ବର୍ଷର ଝିଅଙ୍କର ରକ୍ଷଣାବେକ୍ଷଣ ପାଇଁ ୭୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିବା ପୁଣେ ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟରେ ପହଞ୍ଚିଛନ୍ତି। ଆସନ୍ତା ସପ୍ତାହରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ।

Share