ସାହିତ୍ୟ: ପ୍ରବୃତ୍ତି, ବୃତ୍ତି ଓ ବ୍ରତ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ବୈଦିକ ଯୁଗରେ ପ୍ରବୃତ୍ତି ଅନୁସାରେ ବୃତ୍ତି ସ୍ଥିର ହୋଇ ବୃତ୍ତି ଅନୁଯାୟୀ ଚତୁର୍ବର୍ଣ୍ଣ ନିର୍ଦ୍ଧାରିତ ହେଉଥିଲା। ଯେଉଁମାନେ ଯଜ୍ଞାଦି କର୍ମ, ଈଶ୍ୱର ଉପାସନା, ଅଧ୍ୟୟନ ଓ ଅଧ୍ୟାପନାଦି କର୍ମ କରୁଥିଲେ, ସେମାନଙ୍କୁ ବ୍ରାହ୍ମଣ କୁହାଗଲା। ଯେଉଁମାନେ ଶୌର୍ଯ୍ୟ, ତେଜ ଓ ଧୈର୍ଯ୍ୟର ଅଧିକାରୀ ହୋଇ ପ୍ରଜାମାନଙ୍କୁ ରକ୍ଷା କରୁଥିଲେ, ସେମାନଙ୍କୁ କ୍ଷତ୍ରିୟ କୁହାଗଲା। କୃଷି, ଗୋପାଳନ ଓ ବାଣିଜ୍ୟ କର୍ମ କରୁଥିବା ଲୋକଙ୍କୁ ବୈଶ୍ୟ କୁହାଯାଇ ଅନ୍ୟମାନଙ୍କ ସେବା କରୁଥିବା ଲୋକଙ୍କୁ ଶୂଦ୍ର ଭାବରେ ନାମିତ କରାଗଲା। ମାତ୍ର କ୍ରମେ ବର୍ଣ୍ଣକୁ କୁହାଗଲା ଜାତି ଓ ବୃତ୍ତି ଅନୁସାରେ ଜାତି ନିର୍ଦ୍ଧାରିତ ନ ହୋଇ ଜନ୍ମ ଅନୁସାରେ ଜାତି ନିର୍ଦ୍ଧାରିତ ହେଲା। ଏ ଯାବତ୍‌ ଏହି ପ୍ରଥା ଚାଲିଛି। ଜଣେ ବ୍ରାହ୍ମଣ ଘରେ ଜନ୍ମ ହେଲେ ବ୍ରାହ୍ମଣ ଓ କ୍ଷତ୍ରିୟ ଘରେ ଜନ୍ମ ହେଲେ କ୍ଷତ୍ରିୟ ଭାବରେ ଚିହ୍ନିତ ହେଉଛି। ପୁନଶ୍ଚ ଯଦିଓ ଜାତି ରହିଲା, ବୃତ୍ତି ସହ ଏହାର କୌଣସି ସମ୍ପର୍କ ରହିଲା ନାହିଁ। କୁଟୁମ୍ବ ପୋଷିବା ପାଇଁ ଯିଏ ଯେଉଁ ବୃତ୍ତିକୁ ଚାହିଁଲା ତାକୁ ଅବଲମ୍ବନ କଲା। ଅନେକେ ପରିସ୍ଥିତି ଚାପରେ ନିଜର ପ୍ରବୃତ୍ତି ଅନୁସାରେ ବୃତ୍ତି ଅନୁସରଣ ନ କରି ପ୍ରବୃତ୍ତି ବିରୋଧୀ ଯେକୌଣସି ଅର୍ଥକରୀ ବୃତ୍ତିକୁ ଗ୍ରହଣ କରିନେଲେ। ଫଳରେ ସେମାନେ ବୃତ୍ତିକୁ ଯାନ୍ତ୍ରିକ ଭାବରେ ଅନୁସରଣ କଲେ ସିନା, ତାକୁ ବ୍ରତରେ ରୂପାନ୍ତରିତ କରିପାରିଲେ ନାହିଁ।
ଜୀବନକୁ ପୂର୍ଣ୍ଣତା ଦେବା ପାଇଁ ଜୀବନରେ ବୃତ୍ତି ଯେପରି ଦରକାର, ବ୍ରତ ମଧ୍ୟ ସେପରି ଦରକାର। ବିଶିଷ୍ଟ ଚିନ୍ତାନାୟକ ଚିତ୍ତରଞ୍ଜନ ଦାସଙ୍କ ମତରେ, ବ୍ରତ ନ ଥିଲେ ବୃତ୍ତିଗୁଡ଼ାକ ଆମକୁ ପ୍ରାୟ ସକଳ କ୍ଷେତ୍ରରେ ଗୋଟିଏ ଗୋଟିଏ ଭୃତ୍ୟରେ ହିଁ ପରିଣତ କରି ରଖିଥା’ନ୍ତି ଏବଂ ବ୍ରତକୁ ବୃତ୍ତି କରି ଗ୍ରହଣ କରି ନ ଥିଲେ ଆମ ବ୍ରତଗୁଡ଼ାକ ସତେଅବା ଅନେକତଃ ଗୋଟାଏ ଗୋଟାଏ ତୁଚ୍ଛା ଭାବପ୍ରବଣତାରେ ପରିଣତ ହୋଇଯା’ନ୍ତି। କୁମ୍ଭକାର ହାଣ୍ଡି ଗଢ଼େ। ଏହା ତା’ର ବୃତ୍ତି। ମାତ୍ର ସେ ଯଦି ଏହି କର୍ମକୁ ବ୍ରତ ଭାବରେ ଗ୍ରହଣ ନ କରେ, ସେ ଜଣେ ଭଲ କୁମ୍ଭକାର ହୋଇପାରିବ ନାହିଁ। ଯେଉଁ କାରିଗରମାନେ ପଥର ହେଉ ବା ମାଟି ହେଉ ନିଜ ବୃତ୍ତିରେ ମୂର୍ତ୍ତି ଗଢ଼ନ୍ତି ଓ ଲୋକଙ୍କୁ ମୁଗ୍ଧ କରନ୍ତି, ସେମାନେ ତାଙ୍କ ବୃତ୍ତିକୁ ବ୍ରତ ଭାବରେ ଗ୍ରହଣ କରିଥା’ନ୍ତି ବୋଲି ସିଦ୍ଧିଲାଭ କରିଥା’ନ୍ତି। ଠିକ୍‌ ସେପରି ବୁଣାକାରମାନେ ଆକର୍ଷଣୀୟ ଲୁଗା ବୁ୍‌ଣନ୍ତି। ଏହା ତାଙ୍କ ବୃତ୍ତିର ବାହାଦୁରି ନୁହେଁ, ବ୍ରତର ବାହାଦୁରି। ସାହିତ୍ୟକୁ ସାହିତି୍ୟକର ବୃତ୍ତି କହିବା ନା ବ୍ରତ ଏହା ଏକ ବଡ଼ ପ୍ରଶ୍ନ। ଗଙ୍ଗାଧର ମେହେର ବୁଣାକାର ଥିଲେ ଓ କବି ଥିଲେ। ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ତନ୍ତଚର୍ଚ୍ଚା ଓ ଗ୍ରନ୍ଥ ଚର୍ଚ୍ଚା ଏକ ସମୟରେ ସମାହିତ କରୁଥିଲେ। ସେ ତନ୍ତଚାଳନା କଲାବେଳେ ସଂସ୍କୃତ ଓ ଓଡ଼ିଆ କାବ୍ୟମାନଙ୍କରୁ କଣ୍ଠସ୍ଥ ଲାଳିତ ପଦମାନ ଆବୃତ୍ତି କରି ବଡ଼ ଆମୋଦ ଅନୁଭବ କରୁଥିଲେ। ସେ ଆପଣାର ବୃତ୍ତି ଓ ବ୍ରତ ଭିତରେ ଦୁଇଖଣ୍ଡରେ ବିଭକ୍ତ ହୋଇ ରହି ନ ଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ସେ ବୃତ୍ତି ପରିବର୍ତ୍ତନ କରି ଜମିଦାର ନୃପରାଜ ସିଂହଙ୍କ ପାଖରେ ଅମିନ ଭାବରେ ଯୋଗଦେଇ ତାଙ୍କ କାର୍ଯ୍ୟକୁ ନିଷ୍ଠା ସହ ସମ୍ପାଦନ କରିଥିଲେ। ସାହିତ୍ୟକୁ ବୃତ୍ତି କରି ସଂସାରରେ କେହି ଜନ୍ମ ହୁଏ ନାହିଁ। ସାହିତି୍ୟକର ପୁଅ ଯେ ସାହିତି୍ୟକ ହେବ କେହି ଦୃଢ଼ ଭାବରେ କହିପାରିବ ନାହିଁ। ସାହିତ୍ୟ ହେଉ ବା ଯେକୌଣସି କଳା ହେଉ, ତାକୁ ବ୍ରତ ଭାବରେ ଗ୍ରହଣ କରିବାକୁ ହୁଏ। ସାହିତ୍ୟ ଲାଗି ସାହିତି୍ୟକ ବଞ୍ଚେ ଓ କଳା ପାଇଁ କଳାକାର ବଞ୍ଚେ। ବୃତ୍ତିର ଜଗତରେ ସେ ନିଃସ୍ବ ହୋଇଯାଇପାରେ, ତଥାପି ସେ ଆପଣାର ଧନରେ ଧନୀ ହୋଇ ରହେ।
ଲିଓନାର୍ଡୋ ଦା ଭିନ୍‌ସି ମୋନାଲିସାଙ୍କ ଚିତ୍ର ଆଙ୍କିବାରେ ମଜ୍ଜି ରହିଥା’ନ୍ତି। କିମ୍ବଦନ୍ତୀ କହେ, ସେହି ଭଦ୍ର ମହିଳା ପ୍ରତିଦିନ ଆସି ଶିଳ୍ପୀଙ୍କ ପାଖରେ ବସୁଥିଲେ। ସେ ଯେପରି ତାଙ୍କ ମୃଦୁ ହସରୁ ବିରତ ନ ହେବେ, ସେଥିପାଇଁ ପଟ୍ଟଭୂମିରେ ମଧୁର ସଙ୍ଗୀତ ବାଦନର ବ୍ୟବସ୍ଥା କରାଯାଇଥିଲା। ମହିଳାଙ୍କ ମୁହଁ ବିରସ ଦେଖାଗଲେ ହାସ୍ୟକର ଭଙ୍ଗୀ ଫେରାଇ ଆଣିବା ପାଇଁ ବିଦୂଷକମାନେ ନିଯୁକ୍ତ ହୋଇଥିଲେ। ଶିଳ୍ପୀଙ୍କର ସେହି ମୋନାଲିସା ଛବିଟି ଅସମ୍ପୂର୍ଣ୍ଣ ଥିବାବେଳେ ହଠାତ୍‌ ଦିନେ ପହଞ୍ଚତ୍ଲେ ରାଜା ଫ୍ରାନ୍‌ସିସ୍‌। ସେତେବେଳକୁ ମୋନାଲିସାଙ୍କ ମୃତ୍ୟୁ ହୋଇ ସାରିଥିଲା। ମୋନାଲିସାଙ୍କ ଲାସ୍ୟମୟୀ ଓ ହାସ୍ୟମୟୀ ଚିତ୍ରକୁ ଦେଖି ରାଜା ଅଭିଭୂତ ହୋଇଗଲେ। ସେ ଛବିଟିକୁ କିଣି ନେବା ପାଇଁ ଚାହିଁଲେ ଓ ଚାରିହଜାର କ୍ରାଉନ୍‌ ମୂଲ୍ୟ ଯାଚିଲେ। ମାତ୍ର ଶିଳ୍ପୀ ଆତୁର ଆଖିରେ ରାଜାଙ୍କ ଆଡ଼କୁ ଚାହିଁଥା’ନ୍ତି। ସେ କହିବାକୁ ଚାହୁଁଥା’ନ୍ତି ଯେ, ମୋନାଲିସାଙ୍କ ଛବିଟିକୁ ସେ ନିଜ ପାଖରେ ରଖିବାକୁ ଚାହାନ୍ତି। କୌଣସି ମୂଲ୍ୟର ବିନିମୟରେ ମଧ୍ୟ ସେ ତାକୁ ହାତଛଡ଼ା କରିବାକୁ ଚାହୁଁ ନ ଥା’ନ୍ତି। ମାତ୍ର ଭୟରେ ସେ ରାଜାଙ୍କୁ କିଛି କହି ନ ପାରି ନୀରବ ରହିଲେ। ପରଦିନ ରାଜ କର୍ମଚାରୀ ସେହି ଛବିଟିକୁ ସେଠାରୁ ନେଇଯିବେ କହି ରାଜା ଚାଲିଗଲେ। ମାତ୍ର ଲିଓନାର୍ଡୋଙ୍କୁ ସାରା ରାତି ନିଦ ହେଲା ନାହିଁ। ରାତି ଅଧରେ ସେ ରାଜ ଦରବାରକୁ ଆସି ରାଜାଙ୍କୁ ସାକ୍ଷାତ୍‌ କଲେ। ସେ ତାଙ୍କୁ କାତର ଭାବରେ କହିଲେ, ମହାରାଜ! ସେହି ଛବି ବିନା ମୁଁ ବଞ୍ଚତ୍ପାରିବି ନାହିଁ। ମୁଁ ମରିବା ପର୍ଯ୍ୟନ୍ତ ଛବିଟି ମୋ ପାଖରେ ଥାଉ। ମୋର ଏତିକି ଅନୁରୋଧ। ପାଖରେ ଛିଡ଼ା ହୋଇଥିବା ରାଜାଙ୍କ ଭଉଣୀ କହିଲେ, ‘ମହାରାଜ! ସେ ଏବେ ବି ମୋନାଲିସାଙ୍କୁ ଭଲ ପାଉଛନ୍ତି। ତାଙ୍କ ଅନୁରୋଧ ଦୟାକରି ରକ୍ଷା କରନ୍ତୁ।’ ରାଜା କହିଲେ, ‘କିନ୍ତୁ ମୋନାଲିସାଙ୍କର ତ କେବେଠୁ ମୃତ୍ୟୁ ହୋଇସାରିଲାଣି।’ ଭଉଣୀ କହିଲେ, ‘ଜଣେ ମରିଗଲା ପରେ ମଧ୍ୟ ଲୋକେ କ’ଣ ତାକୁ ଭଲ ପାଉନାହାନ୍ତି? ଶିଳ୍ପୀଙ୍କ ସ୍ମୃତି ତାଙ୍କରି ପାଖରେ ରହୁ।’ ଉଦାର ରାଜା ବୁଝିଲେ ଓ ଶିଳ୍ପୀଙ୍କ ଅନୁରୋଧ ରକ୍ଷା କଲେ। ଶିଳ୍ପୀ ଲିଓନାର୍ଡୋଙ୍କ ବୃତ୍ତି ଥିଲା ଚିତ୍ର ଆଙ୍କିବା। ମାତ୍ର ସେ ତାଙ୍କ ବୃତ୍ତିକୁ ବ୍ରତରେ ପରିଣତ କରିଦେଇଥିଲେ। ସେଥିପାଇଁ ତ ମୋନାଲିସା ଛବିଟି ସେତେବେଳେ ସର୍ବଶ୍ରେଷ୍ଠ ଛବି ଭାବରେ ସ୍ବୀକୃତି ପାଇଥିଲା। ବୃତ୍ତି ଅନୁସାରେ ଚିତ୍ର ଆଙ୍କି ସେ ଚିତ୍ରକୁ ଏକ ପଣ୍ୟଦ୍ରବ୍ୟ ଭାବରେ ଦେଖି ନ ଥିଲେ। ତାଙ୍କ ସଂସାର ଥିଲା ଅନ୍ତରଙ୍ଗ ହେବାର ସଂସାର, ଶ୍ରଦ୍ଧାର ସଂସାର। ତାଙ୍କ ବୃତ୍ତି ଥିଲା ଏକ ବ୍ରତ।
ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ, ବୃତ୍ତି ପ୍ରବୃତ୍ତିଜନିତ ନ ହେଲେ ତାହା ବ୍ରତରେ ପରିଣତ ହୋଇପାରେ ନାହିଁ। ଆର୍ଥର କେନନ୍‌ ୟେଲ ଏଡିନ୍‌ବର୍ଗ ମେଡିକାଲ କଲେଜରୁ ଡାକ୍ତରୀ ପାସ୍‌ କଲେ ଓ ଚିକିତ୍ସା ଆରମ୍ଭ କଲେ। ମାତ୍ର ସେହି ବୃତ୍ତିରେ ସେ ବେଶିଦିନ ରହିପାରିଲେ ନାହିଁ। କାରଣ ତାହା ତାଙ୍କର ପ୍ରବୃତ୍ତି ନ ଥିଲା। ତାଙ୍କର ଥିଲା ସୃଜନଶୀଳ ପ୍ରତିଭା। ଲେଖିଲେ ଅନେକ ଉପନ୍ୟାସ ଓ କାହାଣୀ। ତାଙ୍କର ଗୋଇନ୍ଦା ଉପନ୍ୟାସରେ ସେରଲକ୍‌ ହୋମ୍‌ସ ଏକ ବହୁଜନାଦୃତ ଚରିତ୍ର। ସେ ସ୍ବୀକୃତ ହେଲେ ଜଣେ ବିଶିଷ୍ଟ ଔପନ୍ୟାସିକ ଭାବରେ। ସମରସେଟ୍‌ ମମ୍‌ ଥିଲେ ଆଉ ଜଣେ ଡାକ୍ତର। ସେ ଶେଷବର୍ଷର ଡାକ୍ତରୀ ଛାତ୍ର ଥିବାବେଳେ ଲେଖିଲେ ‘ଲିଜା ଅଫ୍‌ ଲ୍ୟାମବେଥ୍‌’। ଏହି ପ୍ରଥମ ଉପନ୍ୟାସର ଅପୂର୍ବ ସଫଳତା ପରେ ସେ ଡାକ୍ତରୀ ବୃତ୍ତି ଛାଡ଼ିଦେଲେ। ଷ୍ଟେଥୋସ୍କୋପ୍‌କୁ ଅବସର ଦେଇ ଧରିଲେ କଲମ। ସୃଷ୍ଟି ହେଲା ଏ ମ୍ୟାନ୍‌ ଅଫ୍‌ ଅନର, ଅଫ୍‌ ହ୍ୟୁମାନ୍‌ ବଣ୍ଡେଜ୍‌, ଲେଡି ଫ୍ରେଡେରିକ୍‌ ଓ ଅନେକ ଉଲ୍ଲେଖନୀୟ କୃତି। ଆଉ ଜଣେ ଡାକ୍ତର ହେଲେ ଯୋଶେଫ୍‌ କ୍ରୋନିନ୍‌। ଗ୍ଲାସ୍‌ଗୋ ବିଶ୍ୱବିଦ୍ୟାଳୟରୁ ଚିକିତ୍ସା ବିଜ୍ଞାନରେ ସର୍ବୋଚ୍ଚ ଡିଗ୍ରୀ ଲାଭ କରି ମଧ୍ୟ ସେ ଚିକିତ୍ସାକୁ ବୃତ୍ତି ଭାବରେ ବେଶିଦିନ ଅନୁସରଣ କରିପାରିଲେ ନାହିଁ। କାରଣ ତାଙ୍କର ପ୍ରବୃତ୍ତି ଥିଲା ଭିନ୍ନ। ତାଙ୍କର ସୃଜନଶୀଳ ପ୍ରତିଭା ସ୍ବତଃପ୍ରବୃତ୍ତ ଭାବରେ ଆତ୍ମପ୍ରକାଶ କଲା। ତାଙ୍କର ଉପନ୍ୟାସଗୁଡ଼ିକରେ ଯଥା ଦି ଗ୍ରୀନ୍‌ୟର୍‌ସ, ଦି ଜୁଦାଶ ଟ୍ରି, ହ୍ୟାଟାରସ କ୍ୟାସଲ ଇତ୍ୟାଦି। ତାଙ୍କ ପ୍ରବୃତ୍ତିକୁ ସେ ବ୍ରତରେ ପରିଣତ କରି ଚିକିତ୍ସା ବୃତ୍ତିରୁ ଦୂରେଇ ଗଲେ।
ଅତୀତରେ ଅନେକ ପଣ୍ଡିତ କାବ୍ୟ କବିତା ଲେଖି ରାଜାଙ୍କ ପାଖରୁ ଅର୍ଥ, ପୁରସ୍କାର ଓ ଉପାଧି ଗ୍ରହଣ କରୁଥିଲେ। ସାହିତ୍ୟ ସୃଷ୍ଟି କରିବା ସେମାନଙ୍କ ପାଇଁ ଏକ ବୃତ୍ତି ଥିଲା। ଅବଶ୍ୟ ଆଜିକାଲି ରାଜା ନ ଥିଲେ ମଧ୍ୟ ଏହି ଧାରା ଏକ ଭିନ୍ନ ରୂପରେ ପ୍ରଚଳିତ ହୋଇଛି। ସାହିତ୍ୟ ଏକାଡେମୀ ଓ ଅନେକ ବେସରକାରୀ ସଂସ୍ଥା ସାହିତ୍ୟ ପାଇଁ ମୋଟା ଅର୍ଥଯୁକ୍ତ ପୁରସ୍କାର ଓ ସମ୍ମାନ ଦେଉଛନ୍ତି। ଏବେ ପ୍ରବୃତ୍ତି ନ ଥାଇ, ସୃଜନଶୀଳ ପ୍ରତିଭା ନ ଥାଇ ମଧ୍ୟ କିଛି ଲେଖକ ଏ ସବୁ ହାତେଇବା ପାଇଁ ଲେଖନୀ ଚାଳନା କରୁଛନ୍ତି। ସେମାନଙ୍କ ପାଇଁ ସାହିତ୍ୟ ସୃଷ୍ଟି କରିବା ଏକ ବୃତ୍ତି ହୋଇଛି। ମାତ୍ର ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ, ”ସାହିତ୍ୟ ହେଉଛି ବସ୍ତୁତଃ ଏକ ବ୍ରତ। ସାହିତ୍ୟ କେତେ ମଣିଷକୁ ଯୁଗେ ଯୁଗେ ବୃତ୍ତିର ଜଗତରେ କେତେ ପ୍ରକାରେ ନିଃସ୍ବ ଏବଂ ନିଃଦ୍ରବ୍ୟ କରି ରଖିଛି। କେତେ ସିଂହାସନଚାରୀଙ୍କ ଦୃଷ୍ଟିରୁ ଦୂରରେ ରଖିଛି, କେତେ ସଫଳତା ତଥା ସ୍ବୀକୃତିର ଦ୍ୱାରରୁ ସେମାନଙ୍କୁ ଦୂରେଇ ରଖିଛି। ସାହିତି୍ୟକ ତଥାପି ବଞ୍ଚତ୍ଛି। ବାହାରକୁ ନିଃସ୍ବ ହୋଇ ରହିଥିଲେ ମଧ୍ୟ ସେ ଆପଣାର ଧନରେ ତଥାପି ଧନୀ ହୋଇ ରହିଛି।“ ଏହା ସମ୍ଭବ ହୋଇଛି ଯେତେବେଳେ ସାହିତି୍ୟକ ନିଜ ସୃଜନଶୀଳ ପ୍ରବୃତ୍ତିକୁ ବୃତ୍ତି ଭାବରେ ଗ୍ରହଣ କରି ତାକୁ ବ୍ରତରେ ପରିଣତ କରିଛି।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ:୯୪୩୭୩୨୯୨୬୩