Posted inଫୁରସତ

ସାହିତ୍ୟ ଖେଳପଡ଼ିଆ ନୁହେଁ

ଓଡ଼ିଆ ସାହିତ୍ୟର ଜଣେ ପରିଚିତ ଲେଖିକା ଯଶୋଧାରା ମିଶ୍ର। ୧୯୫୧ ମସିହାରେ ସମ୍ବଲପୁରରେ ଜନ୍ମିତ ଏହି ସାହିତ୍ୟ ସାଧିକା ପେସାରେ ଥିଲେ ଇଂରାଜୀ ପ୍ରାଧ୍ୟାପିକା। ଓଡ଼ିଆ, ଇଂରାଜୀ ଭାଷାରେ ଅନେକ ଗଳ୍ପ ଓ କବିତା ରଚନା କରି ନିଜସ୍ବ ପ୍ରତିଭା ପ୍ରତିପାଦିତ କରିଥିବା ଏହି ସାହିତି୍ୟକାଙ୍କୁ ମିଳିଛି ବହୁ ସମ୍ମାନ ଓ ପୁରସ୍କାର। ଗଳ୍ପସଂକଳନ ‘ସମୁଦ୍ରକୂଳ ଘର’ ପାଇଁ ୨୦୨୦ବର୍ଷର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ଲାଗି ସେ ମନୋନୀତ ହୋଇଛନ୍ତି। ଯଶୋଧାରାଙ୍କ ସାହିତି୍ୟକ ଜୀବନ, କୃତିକୁ ନେଇ ତାଙ୍କ ସହ ଧରିତ୍ରୀର ବନ୍ଦନା ସେଠୀଙ୍କ ଆଳାପ।

ପ୍ରଶ୍ନ- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବୋଲି ଜାଣିବା ପରେ କେମିିତି ଲାଗିଥିଲା?
ଉତ୍ତର: ପୁରସ୍କାର ପାଇବି ବୋଲି ଜାଣିବା ପରେ ବହୁତ ଖୁସି ଲାଗିଥିଲା। ଲେଖକ, କଳାକାରଙ୍କୁ ସାମାଜିକ ସ୍ବୀକୃତି ଆନନ୍ଦ ଦିଏ। କିନ୍ତୁ ପାଠକୀୟ ସ୍ବୀକୃତି ଆମ ପାଇଁ ସବୁଠାରୁ ବଡ ଆନନ୍ଦ। ମୋତେ ଯଥେଷ୍ଟ ପାଠକୀୟ ସ୍ବିକୃତି ମିଳିଥିବାରୁ ମୁଁ ଆନନ୍ଦିତ ଏବଂ ସମସ୍ତଙ୍କ ପାଖରେ କୃତଜ୍ଞ।
ପ୍ରଶ୍ନ- କେବେଠାରୁ ଲେଖାଲେଖି ଆରମ୍ଭ କରିଥିଲେ?
ଉତ୍ତର: ସତୁରୀ ଦଶକରୁ ମୁଁ ଲେଖି ଆସୁଛି। ଏମ୍‌ଏ ପଢିବା ବେଳକୁ ମୋ ଲେଖା ଝଙ୍କାର ପତ୍ରିକାରେ ପ୍ରକାଶ ପାଇସାରିଥିଲା।
ପ୍ରଶ୍ନ- ଗଳ୍ପ ସଂକଳନ ‘ସମୁଦ୍ରକୂଳ ଘର’ରେ କ’ଣ ବିଶେଷତ୍ୱ ରହିଛି?
ଉତ୍ତର: ଏଥିରେ ୭ଟି ଗଳ୍ପ ସନ୍ନିବେଶିତ ହୋଇଛି। ଏଗୁଡିକ ବିଭିନ୍ନ କାଳ୍ପନିକ କାହାଣୀକୁ ନେଇ ଚିତ୍ରଣ କରାଯାଇଛି। ଯେଉଁଥିରେ ଏକାଧିକ ଚରିତ୍ର ଅଛନ୍ତି। ତାଙ୍କ ଭିତରେ ଭାବ ବିନିମୟ ହେଉଛି। ଦୈନନ୍ଦିନ ଜୀବନରେ ସେମାନେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ସେମାନଙ୍କ ପରିବେଶ, ମାନସିକ ଅବସ୍ଥାର ଚିତ୍ରଣ, ଜୀବନରେ ପରିବର୍ତ୍ତନ ଆଦି ବର୍ଣ୍ଣନା ହୋଇଛି। ସବୁ କାହାଣୀ ପରି ଏଥିରେ ବି ଆରମ୍ଭ, ମଧ୍ୟଭାଗ ଓ ଶେଷ ରହିଛି। ତେବେ ଏଥିମଧ୍ୟରୁ ୫ରୁ ୬ଟି ଗଳ୍ପ ହିନ୍ଦୀ ଏବଂ ଅନ୍ୟ ଭାଷାରେ ଅନୁବାଦିତ ହୋଇ ଆଦୃତି ଲାଭ କରିଛି। ଗଳ୍ପଗୁଡିକ ବହୁ ପତ୍ରପତ୍ରିକାରେ ବାହାରିଥିଲା। ତେଣୁ ପୁରସ୍କାର ପୂର୍ବରୁ ପାଠକମାନେ ମତେ ସ୍ବୀକୃତି ପ୍ରଦାନ କରି ସାରିଛନ୍ତି।
ପ୍ରଶ୍ନ- ଜଣେ ଲେଖକ ପାଇଁ ପୁରସ୍କାର କେତେ ମହତ୍ତ୍ୱ ରଖିଥାଏ?
ଉତ୍ତର: ପୁରସ୍କାର କ୍ଷଣିକ, ଲେଖା ଚିରସ୍ଥାୟୀ। କେବଳ ପୁରସ୍କାର ଜଣେ ଲେଖକକୁ ଉତ୍ତୀର୍ଣ୍ଣ ସାହିତି୍ୟକ ଭାବେ ପରିଣତ କରିପାରିବ ନାହିଁ। ସାହିତ୍ୟ ଏକ ଖେଳପଡିଆ ନୁହେଁ। ତେଣୁ ପ୍ରତିଯୋଗିତା ବା ପୁରସ୍କାରକୁ ମନରେ ରଖି ଲେଖିଲେ ସେଥିରେ ସଫଳ ହୋଇ ପାରିବା ନାହିଁ। ଲେଖା ମାଧ୍ୟମରେ ସାହିତି୍ୟକ ଜୀବିତ ରହିବ ବା ଚିରଞ୍ଜିବୀ ହୋଇପାରିବ। ଲେଖାରେ ଯଦି ସେ ନିଜ ଭାଷାର ମଞ୍ଜକୁ ଧରିଛି ତେବେ କେଇପାଦ ଆଗେଇ ପାରିବ। ତେବେ ଜଣେ ସଫଳ ଲେଖକ ହୋଇ ପାରିଛି କି ନାହିଁ ତାହା ପାଠକମାନେ ନିର୍ଣ୍ଣୟ କରିବେ।
ପ୍ରଶ୍ନ- ଆପଣଙ୍କ ଲେଖା ମାଧ୍ୟମରେ ଓଡ଼ିଆ ଗଳ୍ପର ଧାରାରେ କ’ଣ ପରିବର୍ତ୍ତନ ଆଣିଛନ୍ତି?
ଉତ୍ତର: ସାହିତ୍ୟରେ ମୁଁ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିନାହିଁ। ଯଦି କିଛି ପରିବର୍ତ୍ତନ ଆସିଛି ତେବେ ଜାଣିଶୁଣି କିଛି ପରିବର୍ତ୍ତନ ଆଣିଛି ବୋଲି ଭାବୁନାହିଁ। କିନ୍ତୁ ଏକଥା ସତ ଯେ ପ୍ରତ୍ୟେକ ମହତ୍ୱପୂର୍ଣ୍ଣ ଲେଖକ ନିଜ ଭାଷାର ପରମ୍ପରାକୁ ଭଲଭାବେ ବୁଝେ ଏବଂ ତାକୁ ଆଗେଇ ନିଏ। କାରଣ ପରମ୍ପରା ଏକ ସ୍ଥାୟୀ ଜିନିଷ ନୁହେଁ, ଏହା ଏକ ସ୍ରୋତସ୍ବିନୀ ନଦୀ ପରି। ସେଥିରେ ସେ ନିଜର କିଛି ଯୋଗଦାନ ଦେଇ ତା’ର ଗତିକୁ ଏକ ନୂଆ ମୋଡ ଦେବ। ଜଣେ ଶକ୍ତିଶାଳୀ ଲେଖକର ଏହା ହିଁ ପରିଚୟ। ଏହାଦ୍ୱାରା ତାକୁ ଉତ୍ତରପିଢିର ପାଠକମାନେ ମନେ ରଖିବେ।
ପ୍ରଶ୍ନ- ନିଜ ଲେଖାରେ କେଉଁ ଦିଗକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି?
ଉତ୍ତର: ସେଭଳି କିଛି ନାହିଁ। ମୁଁ ଅନେକ ଗୁଡିଏ ପ୍ରେମ ଗଳ୍ପ ଲେଖିଛି। କେତେକ ସାମାଜିକ ସମସ୍ୟା, ଏକକ ମଣିଷର ଅନ୍ତର୍ଦ୍ୱନ୍ଦ୍ୱକୁ ନେଇ ମଧ୍ୟ ଲେଖିଛି। ଯେତେବେଳେ ଯାହା ମନକୁ ଆସିଛି ତାକୁ ଗଳ୍ପର ରୂପ ଦେଇଛି।
ପ୍ରଶ୍ନ- ସମସାମୟିକ ଓଡ଼ିଆ ମହିଳା ଲେଖିକାଙ୍କ ଭିତରେ ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିବା ପାଇଁ କ’ଣ କରନ୍ତି?
ଉତ୍ତର: ନିଜର ସ୍ଥାନ ବିଷୟରେ ମୁଁ ବେଶି ଚିନ୍ତିତ ନୁହେଁ। ପ୍ରତିଯୋଗିତାରେ ବିଶ୍ୱାସ କରେନି। ଏକାଗ୍ର ଭାବରେ ନିଜ ମନର ଭାବନାକୁ, ଚିନ୍ତନ ମନନକୁ ପରିସ୍ଫୁଟନ ବହୁତ ସନ୍ତୋଷ ଜନକ। ଏହାପରେ ଯଦି ମନ ଜାଣିବା ଭଳି ପାଠକ ମିଳିଗଲେ ତେବେ ସେଥିରେ ଜଣେ ପ୍ରକୃତ ଲେଖକ ବହୁତ ଖୁସି ହୋଇଯାଏ। ଭିନ୍ନ ଭିନ୍ନ ପ୍ରକାରର, ପର୍ଯ୍ୟାୟର ଲେଖକ ଥାନ୍ତି। ଏଥିରେ ଉଚ୍ଚ ନୀଚ୍ଚ କିଛି ନ ଥାଏ। ମୁଁ ବହୁତ ବେଶୀ ଲୋକପ୍ରିୟତା ପଛରେ ଯାଏନାହିଁ। ମତେ ଯେତିକି ପାଠକ ମିଳିଛନ୍ତି ସେଥିରେ ଖୁସି।
ପ୍ରଶ୍ନ- ସର୍ବଭାରତୀୟ ସ୍ତରରେ ଓଡ଼ିଆ କ୍ଷୁଦ୍ରଗଳ୍ପର ସ୍ଥିତି କିପରି ଅଛି ବୋଲି ଭାବୁଛନ୍ତି?
ଉତ୍ତର: ସାହିତ୍ୟ ଏକାଡେମୀରେ ମୁଁ ଦୁଇଥର କାମ କରିଛି। ଇଣ୍ଡିଆନ ଲିଟରେଚରରେ ସମ୍ପାଦିକା ଭାବେ ଅଢେଇ ବର୍ଷ କାମ କରିଛି। ସର୍ବଭାରତୀୟ ସାହିତ୍ୟ ସହିତ ଘନିଷ୍ଠ ପରିଚିତ ହେବା ପାଇଁ ଏହା ମତେ ସେତେବେଳେ ବଡ ସୁଯୋଗ ଦେଇଥିଲା। ଆମର ଦୁର୍ଭାଗ୍ୟ ଯେ, ଯୁବପିଢି ସବୁ ରକମର ଭାଷା ପଢୁନାହାନ୍ତି। ଫଳରେ ଭାରତ ଭିତରେ ଥିବା ଅନ୍ୟ ଭାଷା ଗୁଡିକ ପ୍ରତି ଆମେ ଊଣା ଅଧିକେ ଉଦାସୀନ। ସର୍ବଭାରତୀୟ ସ୍ତରରେ ଓଡ଼ିଆ କ୍ଷୁଦ୍ରଗଳ୍ପର ସ୍ଥିତି ଭଲ ଅଛି। ଉଚ୍ଚମାନର ଲେଖା ହେଉଛି। ତେବେ ୫୦ ବର୍ଷ ତଳେ ଯାହା ସ୍ଥିିତି ଥିଲା ଏବେ ସେଥିରେ ପରିବର୍ତ୍ତନ ହୋଇଛି। ଓଡ଼ିଆ ସାହିତ୍ୟ ଖୁବ୍‌ ସମ୍ମାନିତ।
ପ୍ରଶ୍ନ- କ୍ଷୁଦ୍ରଗଳ୍ପରେ ଆଉ କ’ଣ ଅଭାବ ରହିଛି?
ଉତ୍ତର: ଗୋଟିଏ କଥା କହିବି, ଯୁବ ପିଢିମାନେ ଏବେ ଇଂରାଜୀ ପଢିଲେ ଓଡ଼ିଆ ପଢୁ ନାହାନ୍ତି ବା ଓଡ଼ିଆ ପଢିଲେ ଆଉ କୌଣସି ଭାଷା ପଢୁନାହାନ୍ତି। ଏହା ଫଳରେ ଆମେ ବିଶ୍ୱ ସାହିତ୍ୟ ସହିତ ପରିଚିତ ହୋଇ ପାରୁନେ। କେବଳ କୂଅ ବେଙ୍ଗ ଭଳି ପଡି ରହି ନିଜ ଆଖପାଖରେ ରହୁଛେ। ଆମର ଦୃଷ୍ଟିଭଙ୍ଗୀ ସୀମିତ ହୋଇ ଯାଉଛି। ଯେତେ ପଢିବେ ସେତେ ବିଶ୍ୱ ସାହିତ୍ୟ ପ୍ରତି ପରିଚିତ ହୋଇ ପାରିବେ।
ପ୍ରଶ୍ନ- ଆପଣଙ୍କ ବାପା ଭୁବନେଶ୍ୱର ବେହେରା ଜଣେ ପ୍ରଖ୍ୟାତ ଲେଖକ ଥିଲେ। ତାଙ୍କର ପ୍ରଭାବ ଆପଣଙ୍କ ଉପରେ କିପରି ପଡିଥିଲା?
ଉତ୍ତର: ବାପା ପରିଣତ ବୟସରେ ଲେଖା ଆରମ୍ଭ କରିଥିଲେ। ତାଙ୍କର ଓ ଏବେକାର ଲେଖା ଭିତରେ ବହୁତ ଫରକ। ବାପା ଶିକ୍ଷାବିତ୍‌ ଥିବାରୁ ତାଙ୍କ ଲେଖାରେ ଏକ ବିଶେଷତ୍ୱ ରହିଥିଲା। ତାଙ୍କ ଯତ୍ନରେ ମୁଁ ବଢିଥିବାରୁ ମୋ ଉପରେ ପ୍ରଭାବ ପଡିଛି। କିନ୍ତୁ ସେ ଗୋଟେ ପ୍ରକାର ଲେଖୁଥିଲେ ଆଉ ମୁଁ ଅନ୍ୟ ପ୍ରକାର ଲେଖୁଥିଲି। ଏହା କେବଳ ପାଠକମାନେ କହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ପାଳନ କରାଯାଏ ଜାତୀୟ କଣ୍ଡୋମ ଦିବସ, ଜାଣିଲେ ହସି ହସି ବେଦମ ହେବେ…

କଣ୍ଡୋମ କେବଳ ଏକ ସାମାଜିକ ଶବ୍ଦ ନୁହେଁ, କିନ୍ତୁ ଏହା ଆମ ସମାଜ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌...

ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ

ଦୟା ଏକ ମହାନ୍‌ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri