ଅମିତାଭଙ୍କ ପାଇଁ ନିଆରା ଢ଼ଙ୍ଗରେ ଆଶୁ ଆରୋଗ୍ୟ କାମନା କଲେ ଏହି କୁନି ପ୍ରଶଂସକ

ଭୋପାଳ,୧୧।୭: ବଲିଉଡ୍‌ର ମହାନାୟକ ଅଭିତାଭ ବଚ୍ଚନ ଓ ତାଙ୍କ ପରିବାରର ୪ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସମର୍ଥକ ଓ ପ୍ରଶଂସକମାନେ ନିଜ ନିଜ ଅନ୍ଦାଜରେ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଇତିମଧ୍ୟରେ ତାଙ୍କର ଏକ କୁନି ପ୍ରଶଂସକ ମଧ୍ୟ ନିଆରା ଅନ୍ଦାଜରେ ଆଶୁ ଆରୋଗ୍ୟ କାମନା କରିଥିବା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ପନ୍ନାରେ ରହୁଥିବା କମ୍‌ ବୟସର ପ୍ରଶଂସକ ନବେଲି ନିଆରା ଅନ୍ଦାଜରେ ଗୀତ ଗାଇ ଅମିତାଭଙ୍କ ଉତ୍ସାହ ବଢ଼ାଇବା ସହ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଛନ୍ତି।

ନବେଲି ହେଉଛନ୍ତି ସେହି ଶିଶୁ ଯାହାଙ୍କର ଅମିତାଭ ନାମକରଣ କରିଥିଲେ। ସୂଚନା ମୁତାବକ ୨୦୧୪ରେ ‘କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ ପନ୍ନା ଜିଲା ଅଜୟଗଡ଼ର ଖୁସବୁ ସିଂହ ନାମକ ଜଣେ ମହିଳା ଖେଳିବାକୁ ଆସିଥିଲେ। ସେହି ସମୟରେ ଅମିତାଭ ତାଙ୍କ ଝିଅଙ୍କ ନାମକରଣ କରି ନବେଲି ରଖିଥିଲେ। ନବେଲିଙ୍କ ମା’ ଖୁସବୁ ଏହି କାର୍ଯ୍ୟକ୍ରମରେ ୬ଲକ୍ଷ ୪୦ହଜାର ଟଙ୍କା ଜିତିଥିଲେ।

ଏଥିସହ ଅମିତାଭ ତାଙ୍କୁ ସୁନାର ଚୁଡି ମଧ୍ୟ ଉପହାର ଦେଇଥିଲେ। ଏହା ପୂର୍ବରୁ ନବେଲିଙ୍କ ପିତା ମହେନ୍ଦ୍ର ସିଂହ ରାଠୋର ମଧ୍ୟ ୨୦୧୧ରେ ‘କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମକୁ ଆସି ୫୦ଲକ୍ଷ ଟଙ୍କା ଜିତିଥିଲେ। ତେବେ ନବେଲିଙ୍କ ଏହି ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share