୪ ବର୍ଷ ବୟସର ପିଲା ଖେଳିବା, ଦୁଷ୍ଟ ହେବା, ମସ୍ତି କରିବା ଓ ପାଠ ନ ପଢିବା ଲାଗି ବାହାନା କରୁଥିବା ଦେଖିଥିବେ। ହେଲେ ୟୁଏଇର ଆବୁଧାବୀରେ ରହୁଥିବା ୪ ବର୍ଷୀୟ ବାଳକ ସଈଦ ରାଶିଦ ଅଲ୍ମିହରୀ ଏତେ କମ୍ ବୟସରେ ଏଭଳି କମାଲ କରି ଦେଖାଇଛନ୍ତି, ଯାହା ଏବେ ଚର୍ଚ୍ଚାର କାରଣ ସାଜିଛି। କଅଁଳ ବୟସରେ ସେ ଏକ ବହି ଲେଖିଛନ୍ତି। ବହିଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହାର ଶୀର୍ଷକ ହେଉଛି ‘ଦ ଏଲିଫାଣ୍ଟ ସଈଦ ଆଣ୍ଡ ଦ ବିୟର’। ପୁସ୍ତକଟିରେ ଦୁଇଟି ପ୍ରାଣୀ ଭିତରେ ଥିବା ବନ୍ଧୁତ୍ୱ ଓ ପ୍ରେମ ଭାବକୁ ବର୍ଣ୍ଣନା କରାଯାଇଛି। ଏତେ କମ୍ ବୟସରେ ପୁସ୍ତକ ଲେଖିପାରିଥିବାରୁ ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସେ ସର୍ବକନିଷ୍ଠ ଲେଖକର ମାନ୍ୟତା ପାଇଛନ୍ତି। ମାନ୍ୟତା ପାଇବା ସମୟରେ ତାଙ୍କ ପୁସ୍ତକର ୧୦୦୦ କପି ବିକ୍ରି ହୋଇ ସାରିଥିଲା। ସଈଦ ବହି ଲେଖିବାର ପ୍ରେରଣା ନିଜ ବଡ଼ ଭଉଣୀ ଅଲଧାବୀଙ୍କଠାରୁ ପାଇଛନ୍ତି, ଯାହାଙ୍କ ନାମ ସବୁଠାରୁ କମ୍ ବୟସର ଦ୍ୱିଭାଷୀ ପୁସ୍ତକ ଲେଖିକା ଭାବେ ଗିନିଜ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛି। ସଈଦ କୁହନ୍ତି, ‘ମୁଁ ମୋ ଭଉଣୀ ସହ ମିଶି ଖେଳେ, ଚିତ୍ର କରେ ଓ ପଢେ। ଯେବେ ସେ ଏକ ପୁସ୍ତକ ଲେଖିଲା ମୋର ବି ଇଛା ହେଲା ମୁଁ ବି ବହି ଲେଖିବି। ଆଉ ଏହି ବହିଟି ଲେଖିଲି।’