ମଙ୍ଗଳାଯୋଡ଼ିରେ ଲିୟୁସିଷ୍ଟିକ କମନ୍‌ ମୁରହେନ୍‌ ପକ୍ଷୀ ଠାବ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଚିଲିକା ମଙ୍ଗଳାଯୋଡ଼ିରେ ଠାବ ହୋଇଛି ବିରଳ ରଙ୍ଗର ନଳ କାମ ପ୍ରଜାତିର ପକ୍ଷୀ। ଇଂଲିଶରେ ଏହାକୁ କମନ୍‌ ମୁର୍‌ହେନ୍‌ କୁହାଯାଏ। ଏହାର ଜୁଲୋଜିକାଲ୍‌ ନାମ ଗାଲିନୁଲା କ୍ଲୋରୋପସ୍‌ (Gallinula chloropus)। ଏହାକୁ ଠାବ କରିଛନ୍ତି ମଙ୍ଗଳାଯୋଡ଼ି କଞ୍ଜରଭେଶନ ଟ୍ରଷ୍ଟର ଟ୍ରଷ୍ଟି ତଥା ବାର୍ଡ ଗାଇଡ୍‌ ମଧୁ ବେହେରା। ଶନିବାର ସକାଳେ ସେ ଡଙ୍ଗାରେ ପକ୍ଷୀଙ୍କ ପର୍ଯ୍ୟବେକ୍ଷଣ କରିବା ସମୟରେ ଏହି ବିରଳ କଳା-ଧଳା ରଙ୍ଗର କମନ୍‌ ମୁରହେନ୍‌କୁ ଦେଖି ତାହାର ଫଟୋ ସହ ଭିଡିଓ ନିଜ କ୍ୟାମେରାରେ ଉଠାଇଥିଲେ। ପରେ ଏସବୁକୁ ସେ ଖୋର୍ଦ୍ଧା ଜିଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଇଥିଲେ। ଶୁଭେନ୍ଦୁ ଏହି ପକ୍ଷୀଟିକୁ ପାର୍ସିଆଲ ଲିୟୁସିଷ୍ଟିକ କମନ୍‌ ମୁର୍‌ହେନ୍‌ ବୋଲି ଚିହ୍ନଟ କରିଥିଲେ। ଏହି ପକ୍ଷୀର ମୁଣ୍ଡ, ବେକ, ଓ ଡେଣାର ଶେଷ ଭାଗ ସାଧାରଣ ପକ୍ଷୀଙ୍କ ପରି କଳା ରଙ୍ଗ ହୋଇଥିବାବେଳେ ପୂରା ଶରୀରର ଅଧାରୁ ଅଧିକ ଭାଗ ତୋଫା ଧଳା ରଙ୍ଗର ହୋଇଛି। ତେବେ ସାଧାରଣ ପକ୍ଷୀଙ୍କ ଭଳି ଏହାର ଲାଲ୍‌ ଥଣ୍ଟରେ ହଳଦିଆ ମୁନ ରହିଛି। କିନ୍ତୁ ଏକ ସାଧାରଣ ରଙ୍ଗର କମନ୍‌ ମୁର୍‌ହେନ୍‌ ଦେଖିବାକୁ କଳା ରଙ୍ଗର ହୋଇଥାଏ, ଲାଞ୍ଜ ତଳେ ବଡ଼ ଧଳା ଅଣ୍ଡାକାର ପ୍ୟାଚ୍‌ ଏବଂ ଦୁଇ ପାଶର୍‌ବରେ ଧଳା ଧାଡ଼ି ଦେଖାଯାଏ। କମନ୍‌ ମୁରହେନ୍‌ ପକ୍ଷୀଙ୍କ ମଧ୍ୟରେ ଲିୟୁସିଜିମ ମ୍ୟୁଟେଶନ ଓଡ଼ିଶାରେ ପ୍ରଥମ ଓ ଭାରତରେ ଏହା ଦ୍ବିତୀୟ ଘଟଣା ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ୨୦୧୭ରେ କେରଳର ଥିରୁଭାନନ୍ତପୁରମ୍‌ ଜିଲାର ଭେଲାୟାନି-ପୁଞ୍ଚାକରୀ ଆର୍ଦ୍ରଭୂମିରେ ଏକ ଲିୟୁସିଷ୍ଟିକ କମନ୍‌ ମୁରହେନ୍‌ ଦେଖିବାକୁ ମିଳିଥିଲା। କିନ୍ତୁ ସେତେବେଳେ ପକ୍ଷୀଟିର ଫଟୋ ଭଲ ଭାବରେ ଉଠାଯାଇ ପାରି ନ ଥିଲା ବୋଲି ଶୁଭେନ୍ଦୁ କହିଛନ୍ତି।

Share