ନୂଆଦିଲ୍ଲୀ,୧୪।୨ : ଦିଲ୍ଲୀରେ ଭାଲେଣ୍ଟାଇନ୍ସ ଡେ’ରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ପୁଣିଥରେ ରାଜଧାନୀରେ ଶ୍ରଦ୍ଧା ହତ୍ୟା ମାମଲା ପରି ଏକ ଘଟଣା ଘଟିଛି। ଏଠାରେ ପୋଲିସ ୍ଢାବାରୁ ଜଣେ ଯୁବତୀଙ୍କର ମୃତଦେହ ଜବତ କରିଛି। ମୃତଦେହକୁ ଏକ ଫ୍ରିଜରେ ରଖାଯାଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତଦେହ ଉଦ୍ଧାର କରିଛି। ଏହି ଅଭାବନୀୟ ଘଟଣା ଦିଲ୍ଲୀର ବାବା ହରିଦାସ ନଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି। ଏହି ମାମଲାରେ ସାହିଲ ନାମକ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।
ଦ୍ୱାରକାର ଅତିରିକ୍ତ ଡେପୁଟି କମିଶନର ବିକ୍ରମ ସିଂ କହିଛନ୍ତି ଯେ ମଙ୍ଗଳବାର ସକାଳେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଏବଂ ତାଙ୍କ ମୃତଦେହ ଗାଁର ବାହାର ଅଞ୍ଚଳରେ ଥିବା ଏକ ଢାବାରେ ଲୁଚାଇ ରଖାଯାଇଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ମୃତଦେହ ଉଦ୍ଧାର କରିଥିଲା। ଏହି ମାମଲାରେ ଅଭିଯୁକ୍ତ ସାହିଲ ଗେହଲୋଟଙ୍କୁ ଗିରଫ କରାଯାଇଛି। ସେ ମିତ୍ରାଓ୍ବଁ ଗାଁର ବାସିନ୍ଦା୍। ଏହି ପ୍ରସଙ୍ଗରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଅତିରିକ୍ତ ଡେପୁଟି କମିଶନର କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ସାହିଲ ଫେବୃଆରୀ ୧୦ ରେ ବିବାହ କରିଥିଲେ। ଏହାକୁ ନେଇ ତାଙ୍କ ଲିଭ୍ ଇନ ପାର୍ଟନର ଆପତ୍ତି କରିଥିଲେ। ଦୁହେଁ ଦୀର୍ଘ ସମୟ ଧରି ସମ୍ପର୍କରେ ଥିଲେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ହରିୟାଣାର ଝାଞ୍ଜରର ବାସିନ୍ଦା ଥିଲେ। ଯଦି ସାହିଲ ଅନ୍ୟ ଜଣେ କାହାକୁ ବିବାହ କରନ୍ତି ତେବେ ଯୁବତୀ ଜଣକ ତାଙ୍କ ବିରୋଧରେ ଆଇନଗତ ମାମଲା ଆଣିବେ ବୋଲି ଧମକ ଦେଉଥିଲେ।
ସୂଚନାଯୋଗ୍ୟ, ୨୦୨୨ ମେ ୧୮ରେ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ମାମଲା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଅଭିଯୋଗ ହୋଇଛି ଯେ ଆଫତାବ ନାମକ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ଶ୍ରଦ୍ଧାଙ୍କୁ ଗାଳିଗୁଲଜ କରି ମେହେରୋଲି ଅଞ୍ଚଳରେ ହତ୍ୟା କରିଥିଲେ। ତା’ପରେ ସେ ମୃତ ଦେହକୁ ଅନେକ ଖଣ୍ଡରେ କାଟିଥିଲେ। ଅଭିଯୁକ୍ତ ଶ୍ରଦ୍ଧାଙ୍କ ମୃତଦେହ ରଖିବା ପାଇଁ ଏକ ଫ୍ରିଜ କିଣିଥିଲେ। ସେ ମୃତ ଦେହର ଖଣ୍ଡଗୁଡ଼ିକୁ ଏଥିରେ ରଖିଥିଲେ। ସେ ପ୍ରତିଦିନ ରାତିରେ ଶ୍ରଦ୍ଧାଙ୍କ ମୃତଦେହର ଖଣ୍ଡଗୁଡ଼ିକୁ ମେହେରୋଲି ଜଙ୍ଗଲରେ ପକାଉଥିଲେ। ୨୦୨୨ ନଭେମ୍ବର ୧୨ ରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସେ ନାର୍କୋ ଏବଂ ପଲିଗ୍ରାଫି ପରୀକ୍ଷାରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ମାନିଥିଲେ।