Categories: ଜାତୀୟ

ଲିଭ୍‌ ଇନ ସମ୍ପର୍କକୁ ବିବାହ ମାନେ ନାହିଁ ଆଇନ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୩।୬ : ଲିଭ-ଇନ ସମ୍ପର୍କକୁ ନେଇ କେରଳ ହାଇକୋର୍ଟ କହିଛନ୍ତି ଏହାକୁ ବିବାହ ଭାବରେ ମାନ୍ୟତା ଦିଆଯାଇପାରିବ ନାହିଁ। କେରଳ ହାଇକୋର୍ଟ କହିଛନ୍ତି ଆଇନ ଏଭଳି ସମ୍ପର୍କକୁ ବିବାହ ବୋଲି ମାନେ ନାହିଁ। ଯେତେବେଳେ ଦୁଇଜଣ ବ୍ୟକ୍ତି କେବଳ ଚୁକ୍ତିନାମା ଆଧାରରେ ଏକାଠି ରହିବାକୁ ନିଷ୍ପତ୍ତି ନିଅନ୍ତି, ସେତେବେଳେ ସେମାନେ ଏକ ବିବାହ କାର୍ଯ୍ୟ ଅଧୀନରେ ଆସନ୍ତି।

ଲିଭ-ଇନ ସମ୍ପର୍କର ଅର୍ଥ ନୁହେଁ ବିବାହ, କିମ୍ବା ଏଥିରେ ଛାଡପତ୍ର ଖୋଜାଯାଇପାରିବ ନାହିଁ । ଜଷ୍ଟିସ ଏ ମହମ୍ମଦ ମୁସ୍ତାକ ଏବଂ ସୋଫି ଥୋମାସଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି। ଯେତେବେଳେ ଲିଭ୍‌ ଇନରେ ରହୁଥିବା ଆବେଦନକାରୀ ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଥିଲେ। ବିଚାରପତି ଏହାର ଶୁଣାଣି କରି କହିଥିଲେ ଏହି ସମ୍ପର୍କ ଏପର୍ଯ୍ୟନ୍ତ ଆଇନଗତ ଭାବେ ସ୍ବୀକୃତିପ୍ରାପ୍ତ ନୁହେଁ।

କୋର୍ଟ କହିଛନ୍ତି ବିବାହ ହେଉଛି ଏକ ସାମାଜିକ ଅନୁଷ୍ଠାନ ଯାହା ଆଇନ ଦ୍ୱାରା ସ୍ବୀକୃତିପ୍ରାପ୍ତ ଏବଂ ଏହା ସମାଜରେ ସାମାଜିକ ତଥା ନୈତିକ ଆଦର୍ଶକୁ ପ୍ରତିଫଳିତ କରିଥାଏ। ଛାଡପତ୍ର କେବଳ ଆଇନଗତ ବିବାହକୁ ପୃଥକ କରିବାର ଏକ ମାଧ୍ୟମ। ଲିଭ-ଇନ ସମ୍ପର୍କକୁ ସେପରି ଚିହ୍ନଟ କରାଯାଇପାରିବ ନାହିଁ। ଲିଭ-ଇନ ସମ୍ପର୍କରେ ରହୁଥିବା ବିଭିନ୍ନ ଧର୍ମର ଦମ୍ପତିଙ୍କ ଦ୍ୱରା ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ ହାଇକୋର୍ଟ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି।

ଆବେଦନକାରୀଙ୍କ ମଧ୍ୟରୁ ଜଣେ ହିନ୍ଦୁ ଏବଂ ଅନ୍ୟ ଜଣେ ଖ୍ରୀଷ୍ଟିଆନ। ୨୦୦୬ରେ ପଞ୍ଜୀକୃତ ବିବାହ ମାଧ୍ୟମରେ ସ୍ବାମୀ-ସ୍ତ୍ରୀ ଭାବରେ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ସମ୍ପର୍କ ସମୟରେ ଦମ୍ପତିଙ୍କର ମଧ୍ୟ ଏକ ସନ୍ତାନ ଜନ୍ମ ହୋଇଥିଲେ। କିନ୍ତୁ ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ଶେଷ କରିବାକୁ ଚାହୁଁଛନ୍ତି। ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ ଏହି ଦମ୍ପତି ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ପାରସ୍ପରିକ ଛାଡପତ୍ର ପାଇଁ ମିଳିତ ଆବେଦନ କରି ପରିବାର କୋର୍ଟରେ ପହଞ୍ଚିଥିଲେ। କିନ୍ତୁ ଉକ୍ତ ଆଇନ ଅନୁଯାୟୀ ସେମାନେ ବିବାହିତ ନ ଥିବାରୁ କୋର୍ଟ ସେମାନଙ୍କୁ ଛାଡପତ୍ର ଦେବାକୁ ମନା କରି ଦେଇଥିଲେ। ଫଳସୱରୂପ, ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆବେଦନକାରୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେତେବେଳେ ଉଭୟ ପକ୍ଷ ଘୋଷଣା ମାଧ୍ୟମରେ ସେମାନଙ୍କର ସମ୍ପର୍କକୁ ବିବାହ ରୂପେ ଗ୍ରହଣ କରିଥିଲେ, ସେତେବେଳେ କୋର୍ଟ ନିଷ୍ପତ୍ତି ନେଇପାରିବେ ନାହିଁ କି ନାହିଁ? ସେମାନେ ଆଇନଗତ ଭାବରେ ବିବାହିତ କି ନୁହେଁ। ହାଇକୋର୍ଟ କହିଛନ୍ତି ଯେତେବେଳେ ଦୁଇ ଦଳ କେବଳ ଚୁକ୍ତି ମାଧ୍ୟମରେ ଏକାଠି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ସେମାନେ ଏହାକୁ ବିବାହ ବୋଲି ଦାବି କରିପାରିବେ ନାହିଁ କିମ୍ବା ଏ ବାବଦରେ ଛାଡପତ୍ର ମଧ୍ୟ ପାଇପାରିବେ ନାହିଁ ।

Share