ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ନ ହେଉ

ଓ୍ବାଶିଂଟନ, ୩୦।୧୦(ପି.ଟି.): ଆଫଗାନିସ୍ତାନ ଯେପରି ଆତଙ୍କବାଦୀମାନଙ୍କ ଭୂସ୍ବର୍ଗ ନ ପାଲଟେ ତାହା ସୁନିଶ୍ଚିତ କରିବାକୁ ଭାରତ ଓ ଆମେରିକା ତାଲିବାନକୁ ଆହ୍ବାନ ଦେଇଛନ୍ତି। ଆତଙ୍କବାଦର ମୁକାବିଲା ଦିଗରେ ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ଉପରେ ଆୟୋଜିତ ଅଫିସର ସ୍ତରୀୟ ମିଳିତ ଆଲୋଚନା ଶେଷରେ ଉପରୋକ୍ତ ଆହ୍ବାନ ଦିଆଯାଇଛି। ଜାତିସଂଘ ସୁରକ୍ଷା ପରିଷଦ ତାଲିକାରେ ଥିବା ଅଲ୍‌-କାଏଦା, ଆଇଏସ୍‌ଆଇଏସ୍‌/ଡାଏସ୍‌, ଲଶ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ ସମେତ ସମସ୍ତ ଆତଙ୍କବାଦୀ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ ଦେଶ ମିଳିତ ବିବୃତିରେ ଆହ୍ବାନ ଦେଇଛନ୍ତି। ଆତଙ୍କବାଦ ମୁକାବିଲା ସହଯୋଗ ଭାରତ-ଆମେରିକା ବିସ୍ତୃତ ସାମରିକ ସହଯୋଗିତାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଉଭୟ ପକ୍ଷ ଆଇନ କାର୍ଯ୍ୟକାରିତା, ସୂଚନା ଆଦାନପ୍ରଦାନ ଆଦି ଉପରେ ସହଯୋଗ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୨୬-୨୭ ଦୁଇଦିନ ଧରି ଚାଲିଥିବା ଆଲୋଚନାରେ ଆମେରିକା ଆତଙ୍କବାଦ ମୁକାବିଲାରେ ଭାରତ ସରକାର ଓ ଜନସାଧାରଣଙ୍କ ସହ ଛିଡ଼ା ହେବା ପାଇଁ ପ୍ରତିଶ୍ରୁତିକୁ ଦୋହରାଇଥିଲା।

ଆମେରିକା ଦେଲା ୧୪୪ ନିୟୁତ ଡଲାର ସହାୟତା

ଆଫଗାନିସ୍ତାନ ପାଇଁ ଆମେରିକା ୧୪୪ ନିୟୁତ ଡଲାର ମାନବୀୟ ସହାୟତା ଘୋଷଣା କରିଛି। ଏହାକୁ ମିଶାଇ ଚଳିତ ବର୍ଷ ଆଫଗାନିସ୍ତାନକୁ ମୋଟ ୪୭୪ ନିୟୁତ ଡଲାର ସହାୟତା ଯୋଗାଇ ଦିଆଯିବ। ଆଫଗାନ ଜନସାଧାରଣ ଓ ଉକ୍ତ ଅଞ୍ଚଳରେ ରହୁଥିବା ଆଫଗାନ ଶରଣାର୍ଥୀଙ୍କ ପାଇଁ ଏହି ସହାୟତା ଉଦ୍ଦିଷ୍ଟ ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି। ଏହି ସହାୟତା ସିଧାସଳଖ ଭାବେ ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନ୍‌-ଏଚ୍‌ସିଆର୍‌), ୟୁନିସେଫ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ଅନ୍ତର୍ଜାତୀୟ ଦେଶାନ୍ତର ସଂଗଠନ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ତଥା ସ୍ବେଚ୍ଛାସେବୀ ସଂଗଠନକୁ ଯୋଗାଇ ଦିଆଯିବ।

Share