Categories: ବାଣିଜ୍ୟ

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି ଦ୍ରୁତଗତିରେ ମଧ୍ୟ ବୃଦ୍ଧି ପାଇବ। ତେଣୁ ଦେଶରେ ଏଆଇ ଓ ମେଶିନ ଲର୍ନିଂ ଡେଟା ସେଣ୍ଟର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଭାରତୀୟ କମ୍ପାନୀଗୁଡିକୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବା ଉଚିତ ବୋଲି ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୪ରେ ଯୋଗଦେଇ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଏହା କହିଛନ୍ତି।
ସେହିଭଳି ଭାରତର ଡେଟା କେବଳ ଭାରତୀୟ ଡେଟା ସେଣ୍ଟରରେ ରଖାଯିବା ସପକ୍ଷରେ ଆକାଶ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଏଥିସହ ଡେଟା ସେଣ୍ଟର ନୀତି-୨୦୨୦ର ଡ୍ରାଫ୍ଟକୁ ଶୀଘ୍ର ଅପ୍‌ଡେଟ୍‌ କରିବାକୁ ଆକାଶ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିଲ୍ଲୀଠାରେ ଆରମ୍ଭ ହୋଇଥିବା ୩ଦିନିଆ ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୪ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିବାବେଳେ ଏଥିରେ ଆକାଶଙ୍କ ସମେତ ବହୁ ଜଣାଶୁଣା ଶିଳ୍ପ ପ୍ରତିନିଧି ମଧ୍ୟ ଯୋଗଦେଇଛନ୍ତି।
ଏହି ଅବସରରେ ଆକାଶ ଅମ୍ବାନୀ କହିଛନ୍ତି, ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଏଆଇ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ଜିଓ ପ୍ରତ୍ୟେକ ଭାରତୀୟଙ୍କ ପର୍ଯ୍ୟନ୍ତ ଏଆଇର ଲାଭ ପହଞ୍ଚାଇବାର ଉଦ୍ୟମ ଆରମ୍ଭ କରିଛି। ଠିକ୍‌ ସେହିଭଳି ଯେପରି ଆମେ ମୋବାଇଲ ବ୍ରଡ୍‌ବ୍ୟାଣ୍ଡ ସହ କରିଥିଲୁ। ସୁଲଭ ମୂଲ୍ୟରେ ଶକ୍ତିଶାଳୀ ଏଆଇ ମଡେଲ ଏବଂ ସେବା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଏଥିପାଇଁ ଆମେ ଏକ ଜାତୀୟ ଏଆଇ ଭିତ୍ତିିଭୂମିର ଆଧାର ପ୍ରସ୍ତୁତ କରୁଛୁ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପ୍ରଶଂସାକରି ଆକାଶ କହିଛନ୍ତି, ଆଜି ଭାରତୀୟ ମୋବାଇଲ କମ୍ପାନୀ ଏବଂ ସଫଳ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମ୍‌ ବଳରେ ଭାରତ ବିକଶିତ ଦେଶ ସମେତ ସମଗ୍ର ବିଶ୍ୱକୁ ଏଆଇ ସମାଧାନ ପ୍ରଦାନ କରିପାରିବ। ସରକାରଙ୍କ ଦ୍ୱାରା ଉଦ୍ୟୋଗ ଏବଂ ନବସୃଜନ ବା ଇନୋଭେଶନକୁ ଆଗକୁ ବଢାଯିବା ଯୋଗୁ ଭାରତରେ ସବୁଠାରୁ ବଡ଼ ଡିଜିଟାଲ୍‌ କ୍ରାନ୍ତି ଆସିଛି। ନୂତନ ଭାରତରେ ବ୍ୟବସାୟ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି। ୧୪୫ କୋଟି ଭାରତୀୟଙ୍କ ଆବଶ୍ୟକତା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ସରକାର ଏବଂ ଶିଳ୍ପଜଗତ ସମନ୍ବୟରେ ଏକାଠି କାର୍ଯ୍ୟ କରୁଛନ୍ତି।
ଇଣ୍ଡିଆ ମୋବାଇଲ କଂଗ୍ରେସର ମଞ୍ଚରୁ ଆକାଶ ଅମ୍ବାନୀ କହିଛନ୍ତି, ଭାରତ କେବଳ ମୋବାଇଲ ଇନୋଭେଶନରେ ଅଗ୍ରଣୀ ହେବ ନାହିଁ ବରଂ ଏକ ସଂଯୁକ୍ତ ତଥା ବୁଦ୍ଧିମାନ ଭବିଷ୍ୟତ ପାଇଁ ଏଆଇର ଶକ୍ତିକୁ ବ୍ୟବହାର କରିବ। ଏହାଦ୍ୱାରା ମଧ୍ୟ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ଆସିବା ସମୟରେ ଘଟିଥିବା ପରି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟିବ।

Share