Categories: ବାଣିଜ୍ୟ

୨୦ରୁ ଜୀ-ସାର୍ଥକରେ ରଥଯାତ୍ରାର ସିଧା ପ୍ରସାରଣ

ଭୁବନେଶ୍ୱର,୧୯।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୀ-ସାର୍ଥକରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ହେବ। ଏପରିକି ଜୁନ୍‌ ୨୦ ସକାଳ ୬ ଘଟିକାରୁ ସା ୫ ଘଟିକା ପର୍ଯ୍ୟନ୍ତ ରଥଯାତ୍ରାର ସିଧା ପ୍ରସାରଣ ହେବ ବୋଲି ଚ୍ୟାନେଲ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଜୁନ୍‌ ୨୮ରେ ବାହୁଡା ଯାତ୍ରା। ସକାଳ ୬ ଘଟିକାରୁ ସା ୫ ଘଟିକା ପର୍ଯ୍ୟନ୍ତ ପ୍ରସାରିତ ହେବାକୁ ଥିବାବେଳେ ଜୁନ୍‌ ୨୯ରେ ସୁନାବେଶ ଏବଂ ଜୁଲାଇ ୧ରେ ନୀଳାନ୍ଦ୍ରି ବିଜେର ମଧ୍ୟ ସିଧା ପ୍ରସାରଣ ହେବ। ବିଶେଷକରି ସୁନାବେଶ ଦିନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ନୀଳାଦ୍ରି ବିଜେ ରାତି ୧୦ଟା ୩୦ରୁ ସିଧା ପ୍ରାସାରଣ ହେବ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ସହିତ ଭକ୍ତିପୂର୍ଣ୍ଣ ଭଜନ ଓ ସମସ୍ତ ରୀତିନୀତିର ପ୍ରକୃତ ଅର୍ଥ ଜୀ-ସାର୍ଥକରେ ଦେଖିବାକୁ ପାଇବେ। ଏପରିକି ଚଳିତ ଥର ଅଭିନେତ୍ରୀ ନୈନା ଦାସ ଉପସ୍ଥାପିକା ଭାବେ ଦ୍ୱାୟିତ୍ୱ ନିର୍ବାହ କରୁଥିବା ବେଳେ ଓଡ଼ିଶାର ଜଣାଶୁଣା ଗାୟକ ଓ ଗାୟିକାମାନେ ଭଜନ ପରିବେଷଣ କରିବେ। ଯେଉଁମାନଙ୍କ ମଧ୍ୟରେ ମନ୍ମଥ ମିଶ୍ର, ସୁବାସ ଦାସ, ଶରତ ନାୟକ, ଦୀପ୍ତିରେଖା ପାଢ଼ୀ, ଅସୀମା ପଣ୍ଡା, ବିଷ୍ଣୁମୋହନ କବି, କୁଲଦୀପ ପଟ୍ଟନାୟକ ଓ ବସନ୍ତ ପାତ୍ର ପ୍ରମୁଖ ସାମିଲ ଅଛନ୍ତି। ସେହିପରି ପ୍ରବଚକ ମଧ୍ୟ ଅବିରତ ଧାରାବିବରଣୀ ଜାରି ରଖିବେ। ଯେଉଁମାନଙ୍କ ମଧ୍ୟରେ ଗୁରୁପ୍ରସାଦ ମହାପାତ୍ର, ସୂର୍ଯ୍ୟନାରାୟଣ ରଥଶର୍ମା, ଶାଶ୍ୱତୀ ସୌମ୍ୟା ମିଶ୍ର ଓ ପାର୍ଥସାରଥୀ ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି। ଏ ସମ୍ପର୍କରେ ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍‌ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍‌ ପ୍ରତୀକ ସିଲ୍‌ କହିଛନ୍ତି, ଓଡ଼ିଶାର କଳା,ସଂସ୍କୃତି ଓ ପରମ୍ପରା ଆଦିକୁ ପ୍ରାଧାନ୍ୟ ଦେଇଥାଏ। ବିଶେଷ କରି ରଥଯାତ୍ରାର ସିଧା ପ୍ରସାରଣ ସହିତ ଉଚ୍ଚକୋଟୀର ଧାରା ବିବରଣୀ ଓ ଭଜନର ଆୟୋଜନ କରି ଆମେ ବେଶ୍‌ ଉତ୍ସାହିତ ଅଛୁ।

Share