ଭୁବନ, ୨୩।୪(ଡି.ଏନ୍.ଏ.) ବଦଳିଯାଉଛି ମଣିଷର ଜୀବନଶୈଳୀ। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଆଗକୁ ବଢୁଛି ଜୀବନ। ଏସବୁ ଭିତରେ ପଛରେ ପଡ଼ିଯାଉଛି ପାରମ୍ପରିକ ହସ୍ତଶିଳ୍ପ। ଆବଶ୍ୟକତା କମିଯିବା ଏବଂ ସାମଗ୍ରୀର ବିକଳ୍ପ ମିଳିଯିବା ପରେ ଏଭଳି ବୃତ୍ତି ମହତ୍ତ୍ୱ ହରାଇବାରେ ଲାଗିଛି। ପିଢ଼ି ପରେ ପିଢ଼ି ଧରି ଜୀବିକାକୁ ଜାବୁଡ଼ି ଧରିଥିବା କାରିଗର ବୃତ୍ତି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ଏମାନଙ୍କ ଭିତରେ ରହିଛନ୍ତି ବାଉଁଶ କାରିଗର, ତାଳପତ୍ର କାରିଗର, କୁମ୍ଭକାର। ଉନ୍ନତ ଜ୍ଞାନକୌଶଳ, ତାଲିମ, ପ୍ରୋତ୍ସାହନ ସାଙ୍ଗକୁ ବଜାର ସୁବିଧା ଯୋଗାଇ ଦେଲେ ଏଭଳି ଅନେକ କାରିଗର ଏବଂ ସେମାନଙ୍କ ପରିବାର ଦୁଃଖଦୈନ୍ୟ ଜୀବନରୁ ମୁକୁଳିପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ଅନ୍ତର୍ଗତ ୧୧ନଂ. ଓ୍ବାର୍ଡରେ ବାସ କରନ୍ତି ଚମାର ସମ୍ପ୍ରଦାୟର ୩୦ ପରିବାର। ସମ୍ପୃକ୍ତ ପରିବାରର ସଦସ୍ୟମାନେ ତାଳପତ୍ର, ଖଜୁରି ପତ୍ରରୁ ଝାଡୁ, ବିଞ୍ଚଣା ସମେତ ଅନ୍ୟାନ୍ୟ ଘରୋଇ ଉପକରଣ ତିଆରି କରି ଜୀବିକା ନିର୍ବାହ କରୁଥିଲେ। ହେଲେ ସମୟକ୍ରମେ ଖଜୁରି ପତ୍ର ତିଆରି ଝାଡୁ ଆଦର ହରାଇଛି। ତାଳପତ୍ର ବିଞ୍ଚଣାର ସ୍ଥାନ ନେଇଛି ପ୍ଲାଷ୍ଟିକ୍ ବିଞ୍ଚଣା। ଅଧିକାଂଶ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଯିବା ପରେ ତାଳପତ୍ର ଭଳି ପାରମ୍ପରିକ ହାତ ତିଆରି ବିଞ୍ଚଣା କିଣିବାକୁ ଲୋକେ ଆଗ୍ରହୀ ହେଉନାହାନ୍ତି। ବ୍ୟବସାୟ କମିଯିବାରୁ ସମ୍ପୃକ୍ତ ପରିବାରର ଯୁବତୀଯୁବକମାନେ ବାହାରେ କାମ କରିବାକୁ ଆଗ୍ରହୀ ହେବା ସହ ଅନ୍ୟ ବ୍ୟବସାୟରେ ମନ ବଳାଉଛନ୍ତି। ଅନ୍ୟ ବିକଳ୍ପ ନ ଥିବାରୁ ଏବେ ମାତ୍ର ୫ ପରିବାର କୌଳିକ ବୃତ୍ତିକୁ ଆଦରି ପଡ଼ିରହିଛନ୍ତି। ଅନ୍ୟପଟେ ତିଆରି ସାମଗ୍ରୀ ବିକ୍ରିବଟା କରିବାକୁ କାରିଗରମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ସେମାନଙ୍କ ହାତ ତିଆରି ଉପକରଣର ବ୍ୟବସାୟ ସାପ୍ତାହିକ ହାଟରେ ସୀମିତ ହୋଇ ରହିଯାଇଛି। ଅନ୍ୟ କେତେଜଣ ସଦସ୍ୟ ଗ୍ରାମାଞ୍ଚଳରେ ବୁଲି ବୁଲି ବିଞ୍ଚଣା, ଝାଡୁ ବିକ୍ରି କରୁଛନ୍ତି। ତଥାପି ପରିଶ୍ରମର ମୂଲ୍ୟ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ କାରିଗର ସାରଙ୍ଗଧର ବେହେରା କୁହନ୍ତି, ଦୀର୍ଘ ୧୦ ବର୍ଷ ଭିତରେ ହାତ ତିଆରି ବିଞ୍ଚଣା, ଝାଡୁ ଦର ବଢ଼ିନାହିଁ। ମଜଭୁତ ସାମଗ୍ରୀ ତିଆରି କରାଯାଉଥିଲେ ମଧ୍ୟ ଲୋକମାନେ ପସନ୍ଦ କରୁନାହାନ୍ତି। ସେମାନେ ସୁନ୍ଦର ଓ ସୌଖୀନ ସାମଗ୍ରୀ ଖୋଜୁଛନ୍ତି। ସମୟ ଏବଂ ଚାହିଦା ସହିତ ତାଳ ଦେବାକୁ ହେଲେ ସରକାରୀସ୍ତରରେ ପ୍ରୋତ୍ସାହନ ଏବଂ ପ୍ରଶିକ୍ଷଣ ନିହାତି ଜରୁରୀ। ଫଳରେ ହାତତିଆରି ସାମଗ୍ରୀ ଅଧିକ ଆକର୍ଷଣୀୟ ହୋଇପାରିବ ଏବଂ ଭଲ ଦି’ ପଇସା ରୋଜଗାର ହେବ ବୋଲି ସେ କହିଛନ୍ତି।