ଭୁବନ, ୬।୮(ଡି.ଏନ୍.ଏ.) ଗଳିକନ୍ଦିରେ ଠୁଳ ହୋଇ ରହୁଥିଲା ଆବର୍ଜନା। ବିଗାଡୁଥିଲା ସହର ସୌନ୍ଦର୍ଯ୍ୟ। ସୃଷ୍ଟି ହେଉଥିଲା ପୁତ୍ତିଗନ୍ଧମୟ ପରିବେଶ। ବଢୁଥିବା ମଶାବଂଶ ସାଜୁଥିଲା ସଂକ୍ରାମକ ରୋଗର କାରଣ। ହେଲେ ସେହି ଅଦରକାରୀ ବର୍ଜ୍ୟ ଏବେ ଅନେକଙ୍କୁ କରିଛି ସ୍ବାବଲମ୍ବୀ। ସେଥିରୁ ପ୍ରସ୍ତୁତ ହେଉଥିବା ଜୈବଖତରୁ ସ୍ବଚ୍ଛଳ ହୋଇଛି ଅନେକ ପରିବାରର ଆର୍ଥତ୍କ ସ୍ଥିତି। ଢେଙ୍କାନାଳ ଜିଲା ଭୁବନ ଏନ୍ଏସିରେ ନିର୍ମାଣ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ୧୬ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟାଙ୍କ ମୁହଁରେ ହସ ଫୁଟାଇଥିବାବେଳେ ଆଗାମୀ ଦିନରେ ଏହାର ସମ୍ପ୍ରସାରଣ କରିବାକୁ ଯୋଜନା ରହିଛି।
ଫସଲରେ ବଢୁଛି କୀଟନାଶକ, ରାସାୟନିକ ସାର ବ୍ୟବହାର। ଏହାଦ୍ୱାରା ଯଦିଓ ଉତ୍ପାଦନ ବୃଦ୍ଧି ପାଉଛି, ତଥାପି ଶରୀର ଉପରେ ପଡୁଛି ଏହାର ପ୍ରତିକୂଳ ପ୍ରଭାବ। ତେଣୁ ସମନ୍ବିତ କୃଷିରେ ଜୈବିକ ସାର ପ୍ରୟୋଗ ଉପରେ ଏବେ ଦିଆଯାଉଛି ପ୍ରାଥମିକତା। ସହରାଞ୍ଚଳରୁ ଦୈନିକ ବାହାରୁଥିବା ବର୍ଜ୍ୟରୁ ଉନ୍ନତମାନର କମ୍ପୋଷ୍ଟ ପ୍ରସ୍ତୁତ କରି ଏହାକୁ କୃଷିକ୍ଷେତ୍ରରେ ବ୍ୟବହାର କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏନ୍ଏସି, ପୌରାଞ୍ଚଳ ଏବଂ ମହାନଗର ନିଗମରେ ୨୦୧୯ରୁ ଆରମ୍ଭ ହୋଇଛି ‘ମୋ ଖତ’ ଯୋଜନା। ତଦନୁଯାୟୀ ଭୁବନ ଏନ୍ଏସିରେ ୨୦୨୦ରୁ ସ୍ଥାପନ କରାଯାଇଛି ୨ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି)। ଏନ୍ଏସିର ୧୪ନଂ. ଓ୍ବାର୍ଡ ରଗଡ଼ି ନାଳ ଏବଂ ୨ନଂ. ଓ୍ବାର୍ଡ ଅଧୀନ ମହିଳା କଲେଜ ନିକଟରେ ଏହି ଦୁଇ ଏମ୍ସିସି ରହିଛି। ଏହାର ପରିଚାଳନା ଦାୟିତ୍ୱ ନେଇଛି ସ୍ଥାନୀୟ ଗୋରଖନାଥ ସ୍ବୟଂ ସହାୟକ ଗୋଷ୍ଠୀ। ଖତ ଉତ୍ପାଦନରେ ଏସ୍ଏଚ୍ଜିର ୧୬ ଜଣ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ଏନ୍ଏସି ଅନ୍ତର୍ଗତ ୧୫ ଓ୍ବାର୍ଡର ଆବର୍ଜନା ସଂଗୃହୀତ ହୋଇ ଏମ୍ସିସିକୁ ଆସୁଛି। ସେଠାରେ ଖତଯୋଗ୍ୟ ବର୍ଜ୍ୟକୁ ପୃଥକୀକରଣ କରାଯିବା ପରେ କମ୍ପୋଷ୍ଟ ପ୍ରସ୍ତୁତ କରାଯାଉଛି। ଅଦ୍ୟାବଧି ଉଭୟ ଏମ୍ସିସିରୁ ୧୦୦୦ କେ.ଜି.ରୁ ଊର୍ଦ୍ଧ୍ୱ ଖତ ଉତ୍ପାଦନ ହୋଇସାରିଲାଣି। କେଜି ପ୍ରତି ୨୦ ଟଙ୍କା ଦରରେ ୬୦୦ କେ.ଜି. ବିକ୍ରି ସରିଲାଣି। ଏସ୍ଏଚ୍ଜି ସଦସ୍ୟାଙ୍କୁ ଏହାର ଲାଭାଂଶ ଦିଆଯାଉଛି। ଆଞ୍ଚଳିକ ବଜାରରେ ‘ମୋ ଖତ’ର ଚାହିଦା ବଢ଼ିବାରେ ଲାଗିଛି। କିଚେନ ଗାର୍ଡେନ, ଫୁଲଚାଷ ଏବଂ ଘରେ ଲଗାଯାଇଥିବା ସୌଖୀନ ଗଛରେ ଏହାକୁ ବ୍ୟବହାର କରାଯାଉଛି। ଆଗାମୀ ଦିନରେ ଏମ୍ସିସି ସମ୍ପ୍ରସାରଣ କରିବା ଲାଗି ଯୋଜନା ରହିଛି। ଖତ ଉତ୍ପାଦନ ବଢ଼ିଲେ ବନ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗକୁ ସିଧାସଳଖ ବିକ୍ରି କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।
ଲୋକଙ୍କ ଆଗ୍ରହ ବଢୁଛି
ଭୁବନ ଏନ୍ଏସିରେ ଆରମ୍ଭ ହୋଇଥିବା ‘ମୋ ଖତ’ ଯୋଜନା ଦ୍ୱାରା ବର୍ଜ୍ୟବସ୍ତୁର ଉତ୍ତମ ପରିଚାଳନା ହୋଇପାରୁଛି। ଜୈବଖତ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। ଏହାର ବ୍ୟବସାୟିକ ଦିଗକୁ ଗୁରୁତ୍ୱ ଦେଇ ଖୁବ୍ଶୀଘ୍ର ଏମ୍ସିସି ପରିବର୍ଦ୍ଧିତ କରାଯିବ।
– ପ୍ରଣୟ କୁମାର ଚୌଧୁରୀ, ମିଶନ ଶକ୍ତି ଅଧିକାରୀ
ଉତ୍ପାଦନ ବଢ଼ିଲେ ଚାଷୀ ଉପକୃତ ହେବେ
ରାସାୟନିକ ସାର ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ବୁଦ୍ଧିଜୀବୀବର୍ଗ ହୃଦ୍ବୋଧ କଲେଣି। ଜମିରେ ଜୈବିକ ସାର ପ୍ରୟୋଗ ଲାଗି ଆଗ୍ରହ ବଢୁଛି। ଏମ୍ସିସିରୁ ଅଧିକ ପରିମାଣର ମୋ’ ଖତ ଉତ୍ପାଦନ ହେଲେ ଚାଷୀମାନେ ଉପକୃତ ହେବେ।
-କାଳିନ୍ଦୀ ଚରଣ କୁଅଁର, ବରିଷ୍ଠ ନାଗରିକ
ଅଧିକ ଏସ୍ଏଚ୍ଜିକୁ ସାମିଲ କରାଯାଉ
ସହରରୁ ସଂଗୃହୀତ ଆବର୍ଜନା ତୁଳନାରେ ଏମ୍ସିସି ସଂଖ୍ୟା କମ୍। ଏହି ବହୁମୁଖୀ ଯୋଜନାରେ ଅଧିକରୁ ଅଧିକ ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)କୁ ସାମିଲ କରାଗଲେ ଶତାଧିକ ପରିବାର ଉପକୃତ ହୋଇପାରନ୍ତେ।
-ଲିପି ବୈଶାଖ, ଏସ୍ଏଚ୍ଜି ସଦସ୍ୟା