କୁମ୍ଭୀରଭରା ନଦୀରେ ଜୀବନ ବାଜି

ମହାକାଳପଡ଼ା,୨ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜୀବିକା ପାଇଁ ଜୀବନ ମରଣ ଦୋଛକିରେ ଅଭାବୀ ମଣିଷ। ପେଟ ଚାଖଣ୍ଡେ ପାଇଁ କୁମ୍ଭୀର ଭରା ନଦୀରେ ଦୈନଦିନ ଚାଲିଛି ଜୀବିକା ପାଇଁ ସଂଗ୍ରାମ। ଅଭାବୀ ପରିବାର ଜଙ୍ଗଲରୁ କାଠ ଆଣିଲେ ଘରେ ଚୁଲି ଜଳେ। ଭରା ନଦୀରେ ଘୁରି ବୁଲୁଥିବା କୁମ୍ଭୀର ପାଇଁ ସାରା ଜିଲାରେ ଚହଳ ପଡ଼ି ଥିବା ବେଳେ ଠିକ ସେତିକି ବେଳେ ଅଭାବୀ ମଣିଷଟିଏ ଜୀବନର ମୂଲ୍ୟ କ’ଣ ବୁଝିବା ପୂର୍ବରୁ ଜୀବନକୁ ବାଜି ଲାଗାଇଛି କୁମ୍ଭୀର ଭରା ନଦୀରେ। ଏହି ନଦୀରେ ଅଣ୍ଟାଏ ପାଣିରେ ପଶି ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ଫେରିବା ମହିଳାମାନଙ୍କ ପାଇଁ ଏକ ନିତିଦିନିଆ କଥା । ଏହାର ଉଦାହରଣ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ମହାନଦୀ ଶାଖା ଖୋଳା ନଦୀରେ ା ସ୍ଥାନୀୟ ବତୀଘର ଅଞ୍ଚଳର ମହିଳାମାନେ ନିକଟସ୍ଥ ଜଙ୍ଗଲରୁ ଦୈନିକ ଜାଳେଣି କାଠ ସଂଗ୍ରହ କରି ବିପଦପୂର୍ଣ୍ଣ ଭାବେ ନଦୀ ପାରି ହୋଇଥାଆନ୍ତି ା ଅପରପେକ୍ଷ, ଏହି ବ୍ଲକର ମହାନଦୀ ଓ ତା’ର ଶାଖା ଲୁଣା, ପାଇକା, ଗୋବରୀ ନଦୀରେ କୁମ୍ଭୀରମାନେ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ରାପଡ଼ା ଜିଲା ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆକ୍ରମଣରେ କିଛି ଦିନ ମଧ୍ୟରେ ୫ରୁ ଅଧିକ ଜୀବନ ଯାଇଛି। ଏଥିପାଇଁ ସ୍ଥାନୀୟ ଲୋକମାନଙ୍କ ସହ ବନ ବିଭାଗ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଖରିନାସି ଗାଁର ମହିଳାମାନେ ଜଙ୍ଗଲ ପାର୍ଶ୍ୱ ନାଳରୁ ମାଛ ଧରିବା ବେଳେ ବଡ଼ ବଉଳା କୁମ୍ଭୀର ନଦୀକୁ ଟାଣି ନେଇ ଖାଇ ଦେଇଥିବା ନଜିର ରହିଛି ା ସେହିପରି ବତୀଘର ପଞ୍ଚାୟତ ଖୋଳା ନଦୀରେ କିଛି ବର୍ଷ ମଧ୍ୟରେ ୩୦ରୁ ଅଧିକ ଲୋକ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଖୋଳା ନଦୀରେ ସାମୁଦ୍ରିକ ଜୁଆର ନ ଥିବା ସମୟରେ ଆମେ କାଠ ମୁଣ୍ଡେଇ ପାରି ହୋଇ ଥାଉ ବୋଲି ସ୍ଥାନୀୟ ମହିଳାମାନେ କହିଛନ୍ତି । ବନ ବିଭାଗ ପକ୍ଷରୁ ଭରା ନଦୀରେ କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯାଉଛି ବୋଲି ଜମ୍ବୁ ରେଞ୍ଜ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡାଇ କହିଛନ୍ତି।