ଚାରୁକୋଳି ମଞ୍ଜି ଦେଇଛି ରୋଜଗାର

ଜଳେଶ୍ୱର, ୧୬।୫(ନବୀନ ସାହୁ)ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଜଙ୍ଗଲ ଘେରା ରାଇବଣିଆ ଅଞ୍ଚଳରେ ଖରାଦିନେ ହେଉଥିବା ଚାରୁକୋଳି ଚାହିଦା ଅଧିକ ରହିଛି। ଏହି କୋଳି ଖଟାମିଠା ପରି ସ୍ବାଦିଷ୍ଟ ଲାଗିଥାଏ। ବିଦେଶରେ ମଧ୍ୟ ଏହାର ଚାହିଦା ରହିଛି। ତେବେ ବିକ୍ରିବଟା ଲାଗି ସୁବିଧା ନ ଥିବାରୁ ଜଙ୍ଗଲବାସୀ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ବିକ୍ରି ପାଇଁ ଜଙ୍ଗଲରେ ପେନ୍ଥା ପେନ୍ଥା ଫଳୁଥିବା ଚାରକୋଳିକୁ ସ୍ଥାନୀୟ କୁଡୁମି ଓ ଆଦିବାସୀ ସମ୍ପ୍ରଦାୟର ଲୋକେ ତୋଳି ଆଣି ଖରାରେ ଶୁଖାଇଥାନ୍ତି। କିଛି ସମୟ ଶୁଖଲା ପରେ କୋଳିର ଉପରଭାଗ ଶିଳରେ ଘସି ଛଡ଼ାଯାଏ ଓ ପରେ ଭଲ ଭାବେ ପାଣିରେ ଭିଜେଇ ପୁଣି ଖରାରେ ଶୁଖାଯାଏ। ଶୁଖିଗଲା ପରେ ଏହାକୁ ବିକ୍ରି କରାଯାଏ। ବାହାର ବେପାରୀମାନେ ଗାଁ ଗାଁ ବୁଲି ବୁଲି ଲୋକଙ୍କଠାରୁ ଉକ୍ତ ମଞ୍ଜିକୁ କିଣିଥାନ୍ତି। ଶୁଖିଲା ମଞ୍ଜି ୪/୫ ବର୍ଷ ପୂର୍ବେ କେଜି ପ୍ରତି ୫୦ଟଙ୍କାରେ ବେପାରୀମାନେ ବିକୁଥିବା ବେଳେ ଏବେ ୨୦୦ ଟଙ୍କାରେ କିଣୁଛନ୍ତି। ଯଦି ମଞ୍ଜିକୁ ଫାଳ କରି ଦାନାକୁ ବିକ୍ରି କରାଯାଏ ତେବେ କିଲୋ ପ୍ରତି ୯୦୦ ଟଙ୍କାରେ ବିକ୍ରି ହୋଇଥାଏ ବୋଲି ଜଳେଶ୍ୱର ବ୍ଲକ ଅଧୀନ ରାଇବଣିଆ ଅଞ୍ଚଳର ଭୋଲ, ଯୁଆଳି ଭଙ୍ଗା, ବାଗବୁଡ଼ା, ସୁକଯୋଡ଼ି, କେନ୍ଦୁଖୁଣ୍ଟା, ଭଡ୍ରାପଦା, କଲ୍ୟାଣକୋଟବାସୀ କହିଛନ୍ତି। ପ୍ରାୟ ୫ କେଜି ମଞ୍ଜିରୁ ୧କେଜି ଦାନା ବାହାରିଥାଏ ବୋଲି ସେମାନେ କହିଛନ୍ତି। ବର୍ତ୍ତମାନ ଦିନରେ ୨ରୁ ୩ କେଜି ଶୁଖିଲା ମଞ୍ଜି ଦିନକୁ ବେପାରୀଙ୍କୁ ବିକ୍ରି କରୁଛନ୍ତି। ପୂର୍ବରୁ ଏହି ଫଳକୁ ତୋଳି ଏକ ଶାଳପତ୍ରରେ ରଖି ୧୦ରୁ ୨୦ଟଙ୍କା ପ୍ରତି ଦନାକୁ ଲୋକେ ଗାଁ ଗାଁରେ ବିକ୍ରି କରୁଥିଲେ। ଏବେ ଏହା ଆଉ ଦେଖିବାକୁ ମିଳୁନି। ତେଣୁ ପ୍ରଶାସନ ପକ୍ଷରୁ ମଞ୍ଜି ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଲେ ଲୋକେ ଉପକୃତ ହୋଇପାରନ୍ତେ।

Share