Categories: ଜାତୀୟ

ଲିଭ୍‌ ଇନରେ ରହିବାର କରୁଣ ପରିଣତି: ହତ୍ୟା ପରେ ମୃତଦେହକୁ ଆରିରେ କାଟି ପ୍ରେସର କୁକରରେ ସିଝାଇଲେ…

ମୁମ୍ବାଇ,୮।୬ : ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବର୍ତ୍ତମାନ ମୁମ୍ବାଇରେ ମଧ୍ୟ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ମୁମ୍ବାଇର ମୀରା ରୋଡ ଅଞ୍ଚଳର ଆକାଶଗଙ୍ଗା ସୋସାଇଟିରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। କେବଳ ଏତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ହତ୍ୟାକାରୀ ଏକ ପ୍ରେସର କୁକରରେ ମୃତ ଶରୀରର ଖଣ୍ଡଗୁଡ଼ିକୁ ସିଝାଇଥିଲେ। ତେବେ ତାଙ୍କର ଗୋଟିଏ ଭୁଲ ହେତୁ ସେ ପୋଲିସ ଦ୍ୱାରା ଧରାପଡିଥିଲେ। ପୋଲିସ ଘଟଣାସ୍ଥଳରୁ ମହିଳାଙ୍କ ଶରୀରର ଅନେକ ଖଣ୍ଡ ଉଦ୍ଧାର କରିଛି। ପୋଲିସ କହିଛି ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ଲାଇଭ-ଇନ ସମ୍ପର୍କରେ ରହୁଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଥିଲା ଏବଂ ପରେ ତାଙ୍କ ଶରୀରକୁ ଅନେକ ଖଣ୍ଡରେ କାଟି ଦିଆଯାଇଥିଲା।

ଡିସିପି ଜୟନ୍ତ ବାଜବାଲେ କହିଛନ୍ତି ମୃତ ମହିଳା ୩୨ ବର୍ଷିୟ ସରସ୍ବତୀ ବୈଦ୍ୟ ବୋଲି ଜଣାପଡିଛି। ସେ ୫୬ ବର୍ଷ ବୟସ୍କ ବନ୍ଧୁ ମନୋଜ ସାହାଣୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ।

ସମଗ୍ର ଘଟଣାର ତଦନ୍ତ ଚାଲିଛି। ଫ୍ଲାଟରୁ ବାହାରୁଥିବା ଦୁର୍ଗନ୍ଧ ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ଏକ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ସୋସାଇଟିର ସପ୍ତମ ମହଲାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଅଧିକାରୀ କହିଛନ୍ତି ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଆରିରେ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇଥିଲା। ଦୁର୍ଗନ୍ଧ ନ ବ୍ୟାପିବା ପାଇଁ ଅଭିଯୁକ୍ତ ମୃତ ଶରୀରର ଖଣ୍ଡଗୁଡ଼ିକୁ ଏକ କୁକରରେ ଫୁଟାଇ ଦେଇଥିଲା। ଏହା ସତ୍ତ୍ୱେ ପଡୋଶୀମାନେ ଅଜବ ଗନ୍ଧ ଯୋଗୁଁ ବିବ୍ରତ ହୋଇଥିଲେ, ତେଣୁ ସେମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାସ୍ଥଳରୁ ମୃତଦେହର ଖଣ୍ଡ ମଧ୍ୟ ଜବତ କରିଛି। ଘଟଣାସ୍ଥଳରେ ଫୋରେନସିକ ଟିମ ମଧ୍ୟ ଡକାଯାଇଥିଲା ଏବଂ ଫ୍ଲାଟରୁ ଅନ୍ୟାନ୍ୟ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଇଛି। ପୋଷ୍ଟ ମର୍ଟମ ରିପୋର୍ଟ ପରେ ହିଁ ଅଧିକ ସୂଚନା ପ୍ରକାଶ ପାଇବ। ପୋଲିସ ଫ୍ଲାଟକୁ ସିଲ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ସାଥୀ ତାଙ୍କୁ ଅତି ର୍ନିମମ ଭାବେ ହତ୍ୟା କରିଛି ବୋଲି ପୋଲିସ ସନ୍ଦେହ କରୁଛି। ତୀକ୍ଷ୍ଣ ଛୁରୀରେ ଶରୀର କାଟି ଦିଆଯାଇଥିଲା। ଲିଭ-ଇନ ପାର୍ଟନରଙ୍କୁ ହତ୍ୟା କରିବା ଏବଂ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବା ଅଭିଯୋଗରେ ପୋଲିସ ମୃତକଙ୍କ ବନ୍ଧୁଙ୍କୁ ଅଟକ ରଖିଛି। ପୋଲିସର ସୂଚନାନୁସାରେ, ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ବର୍ତ୍ତମାନ ସମଗ୍ର ଘଟଣାର ଅନୁସନ୍ଧାନ କରାଯାଉଛି। କେବଳ ସେତେବେଳେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ। ପଞ୍ଚନାମା ପୂରଣ କରିବା ପରେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

Share