୪୫ଦିନରେ ଲିଜ୍‌ ଟ୍ରସ୍‌ ଛାଡିଲେ ଗାଦି

ଲଣ୍ଡନ,୨୦।୧୦: ୪୫ ଦିନର ଦାୟିତ୍ୱ ଗ୍ରହଣ କରିବା ପରେ  ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟ ଜଣେ ଉତ୍ତରାଧିକାରୀ ଚୟନ ନ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ରହିବେ ବୋଲି ଟ୍ରସ୍‌ ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି। ସେ କେବଳ ୪୫ଦିନ ପାଇଁ ଦେଶରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତେବେ କୌଣସି ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀଙ୍କ ଏହା ସବୁଠାରୁ କମ୍‌ କାର୍ଯ୍ୟକାଳ। ଅନ୍ୟପଟେ ଇସ୍ତଫା ଦେବା ପରେ ଲିଜ୍‌ ଟ୍ରସ୍‌ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ସ୍ଥିତିକୁ ଦେଖି ଅନୁଭବ କରୁଛି ଯେ, ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି ତାହା ପୂରଣ କରିପାରିଲି ନାହିଁ। ତେଣୁ ନିଜର ପଦରୁ ଇସ୍ତଫା ଦେଇଛି। ଯେତେବେଳେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ଦେଶର ଆର୍ଥିକ ଅବସ୍ଥା ସ୍ଥିର ନ ଥିଲା। ତେବେ ଦେଶର ଦେଖାଦେଇଥିବା ଆର୍ଥିକ ସଙ୍କଟ ଯୋଗୁ ତାଙ୍କ ଉପରେ ଚାପ ଦିନକୁ ଦିନ ବଢିବାରେ ଲାଗିଥିଲା। ଶେଷରେ ସେ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ଟ୍ରସ୍‌ କହିଛନ୍ତି। ଅନ୍ୟପଟେ ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍‌ ବୁଧବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ଏଭଳି ସ୍ଥିତିରେ ଟ୍ରସ୍‌ ସରକାରଙ୍କ ଶାସନ କ୍ଷମତାକୁ ନେଇ ସଙ୍କଟ ଦେଖାଦେଇଥିଲା।

Share