୨୨ରୁ ଏଲ୍‌ଏଲ୍‌, ଡିଏଲ୍‌ ଟେଷ୍ଟ ବାତିଲ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ପକ୍ଷରୁ ସମସ୍ତ ଲର୍ନର୍ସ ଲାଇସେନ୍ସ (ଏଲ୍‌ଏଲ୍‌) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଟେଷ୍ଟକୁ ବାତିଲ କରିଦିଆଯାଇଛି। ଆସନ୍ତା ୨୨ତାରିଖଠାରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ରାଜ୍ୟର କୌଣସି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏଲ୍‌ଏଲ୍‌ ଏବଂ ଡିଏଲ୍‌ ଟେଷ୍ଟ ହେବ ନାହିଁ ବୋଲି ମଙ୍ଗଳବାର ଏସ୍‌ଟିଏ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଟେଷ୍ଟ ସମୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଫଳରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହୁଛି। ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ଜନସାଧାରଣଙ୍କ ଅବଗତି ନିମନ୍ତେ ଏଲ୍‌ଏଲ୍‌ ଓ ଡିଏଲ୍‌ ଟେଷ୍ଟ ବାତିଲ ସମ୍ପର୍କିତ ସୂଚନା ଫେସ୍‌ବୁକ୍‌ ଓ ଟୁଇଟରରେ ଜଣାଇବାକୁ ଆର୍‌ଟିଓମାନଙ୍କୁ ଏସ୍‌ଟିଏ ନିର୍ଦ୍ଦେଶ ଦେଇଛି।

Share