ପାକିସ୍ତାନରେ ଲୋଡ୍‌ ଶେଡିଂ, ଶାହାବାଜ ସରିଫଙ୍କ ଚିନ୍ତା ବଢ଼ିଲା…

ଇସଲାମାବାଦ, ୩।୭ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ଶକ୍ତି ସଙ୍କଟ ଦେଇ ଗତି କରୁଛି। ଏହି କାରଣରୁ ଦେଶରେ ଯୋଗାଯୋଗ ସେବା ସ୍ଥଗିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦେଶର ପ୍ରମୁଖ ସହରଗୁଡ଼ିକ ବାରମ୍ବାର ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ କାଟ ଉପରେ ଶୁକ୍ରବାର ନମାଜ ପାଠ ପରେ ପାକିସ୍ତାନର ଉତ୍ତର-ପଶ୍ଚିମ କବାୟଲୀ ଜିଲାର ଏକ ମସଜିଦରେ ଗୁଳି କାଣ୍ଡ ଘଟିଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି।

ଲକ୍କି ମାରୱାତ ଜିଲାର ଇସାକ ଖେଲ ଅଞ୍ଚଳର ଏକ ମସଜିଦରେ ଶୁକ୍ରବାର ପ୍ରାର୍ଥନା କରିବା ପରେ ନିଜ ଅଞ୍ଚଳରେ ବିଦ୍ୟୁତ କାଟକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପୋଲିସ କହିଛି ଯେ ଏହି ସଂଘର୍ଷ ଖୁବ ଶୀଘ୍ର ହିଂସାତ୍ମକ ରୂପ ନେଇଥିଲା ଏବଂ କିଛି ଲୋକ ଗୁଳି ଚଳାଇବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଶିଶୁଙ୍କ ସମେତ ୧୧ ଜଣ ଆହତ ହୋଇଥିଲେ।

ପାକିସ୍ତାନରେ ଜାରି ରହିଥିବା ବିଦ୍ୟୁତ ସଙ୍କଟ ଯୋଗୁ ଦେଶରେ ମୋବାଇଲ ଏବଂ ଇଣ୍ଟରନେଟ ସେବାକୁ ବନ୍ଦ କରିବାକୁ ଟେଲିକମ ଅପରେଟରମାନେ ଧମକ ଦେଇଛନ୍ତି। ନ୍ୟାଶନାଲ ବୋର୍ଡ ଅଫ ଇନଫରମେସନ ଟେକ୍ନୋଲୋଜି ଟୁଇଟରରେ କହିଛି ଯେ ପାକିସ୍ତାନର ଟେଲିକମ ଅପରେଟରମାନେ ଦେଶରେ ଦୀର୍ଘ ଦିନ ଧରି ଜାରି ରହିଥିବା ବିଦ୍ୟୁତ ସଙ୍କଟ କାରଣରୁ ସେମାନଙ୍କ କାର୍ଯ୍ୟରେ ଅସୁବିଧା ହେଉଥିବାରୁ ମୋବାଇଲ ଏବଂ ଇଣ୍ଟରନେଟ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଦେଶକୁ ଚେତାବନୀ ଦେଇଛନ୍ତି ଯେ ଜୁଲାଇରେ ଲୋଡ୍‌ ଶେଡିଂର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ସେ କହିଛନ୍ତି ଯେ ପାକିସ୍ତାନରେ ଆବଶ୍ୟକୀୟ ତରଳ ଗ୍ୟାସ (ଏଲଏନଜି) ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଆସନ୍ତା ମାସରେ ପ୍ରାକୃତିକ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମାରେ ବିଫଳ ହେବା ପରେ ପାକିସ୍ତାନ ବଡ଼ ଶକ୍ତି ସଙ୍କଟ ଦେଇ ଗତି କରୁଛି। ଅଧିକ ମୂଲ୍ୟ ଏବଂ କମ ଭାଗୀଦାରୀ ଯୋଗୁ ଜୁଲାଇ ମାସର ଟେଣ୍ଡରଗୁଡିକ ବାତିଲ କରାଯାଇଥିଲା। ଦେଶ ବ୍ୟାପକ ବ୍ଲାକଆଉଟ ମୁକାବିଲା ପାଇଁ ପଦକ୍ଷେପ ନେଉଛି। ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା, ସରକାରୀ କର୍ମଚାରୀଙ୍କ ପାଇଁ କାର୍ଯ୍ୟ ସମୟ କାଟିବା ଏବଂ କରାଚି ସମେତ ବିଭିନ୍ନ ସହରରେ ଥିବା କାରଖାନା ଏବଂ ଶପିଂ ମଲଗୁଡ଼ିକୁ ଶୀଘ୍ର ବନ୍ଦ କରିବାକୁ ପାକିସ୍ତାନ ସରକାର ଉଦ୍ୟମ କରୁଛନ୍ତି।

Share