ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ ଋଣ ମନା

ନନ୍ଦପୁର,୧୪ା୮(ଶଙ୍କର ପୂଜାରୀ) : ଓଡ଼ିଶା ସରକାରଙ୍କ ‘ମୋ ଘର’ ଋଣ ଯୋଜନାରୁ ରାଜ୍ୟରେ ବସବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକେ ବଞ୍ଚତ୍ତ ହେବାକୁ ଯାଉଥିବା ଜଣାପଡ଼ିଛି। ଏଥିପାଇଁ ଓଡ଼ିଶା ସିଡ୍ୟୁଲ ଏରିଆ ଟ୍ରାନ୍ସଫର ଅଫ ଇମୋଭେବୁଲ ପ୍ରପର୍ଟି ନିୟମ ୨/୧୯୫୬ର ଧାରା ୪ ଓ ୫ ବାଧକ ସାଜିଛି। ଫଳରେ ନନ୍ଦପୁର ବ୍ଲକରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ସମୁଦାୟ ଜନସଂଖ୍ୟାର ୧୦ ପ୍ରତିଶତ ଅନୁସୂଚିତ ଜାତି ଓ ୩୬ ପ୍ରତିଶତ ଅନୁସୂଚିତ ଜନଜାତିର ଲୋକ ସରକାରଙ୍କ ମୋ ଘର ଋଣ ଯୋଜନାରୁ ବଞ୍ଚତ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ଜିଲାଓ୍ବାରି ଦେଖିଲେ କୋରାପୁଟ ଜିଲାର ୧୪.୨ ପ୍ରତିଶତ ଅନୁସୂଚିତ ଜାତି ଓ ୫୦.୬ ପ୍ରତିଶତ ଅନୁସୂଚିତ ଜନଜାତି ଏବଂ ରାଜ୍ୟ ଓ୍ବାରି ଅନୁଧ୍ୟାନ କଲେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୩୯.୯୮ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତିର ଲୋକ ଏଥିରୁ ଉପକୃତ ହେବେନାହିଁ। ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷମାନେ ରୋକଠୋକ ମନା କରି ଦେଉଛନ୍ତି। ଫଳରେ ଏହି ଯୋଜନା କେବଳ ସାଧାରଣ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଛି ବୋଲି ଚର୍ଚ୍ଚା ହେଉଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚତ୍ତ ହେଉଥିବା ପରିବାରକୁ ନୂତନ ଗୃହ ନିର୍ମାଣର ସୁବିଧା ଦେବାକୁ ରାଜ୍ୟ ସରକାର ‘ମୋ ଘର’ ଋଣ ଯୋଜନା ଘୋଷଣା କରିଥିଲେ। ଯୋଜନାରେ ସାମିଲ ହେବାକୁ ସିଏସସି କେନ୍ଦ୍ରଗୁଡିକରେ ହିତାଧିକାରୀ ଆବେଦନ କଲେ। ଆବେଦନ କରିଥିବା ହିତାଧିକାରୀଙ୍କୁ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଯେତେବେଳେ ବ୍ୟାଙ୍କକୁ ଡକାଇ ଓଡ଼ିଶା ସିଡ୍ୟୁଲ ଏରିଆ ଟ୍ରାନ୍ସଫର ଅଫ ଇମୋଭେବୁଲ ପ୍ରପର୍ଟି ନିୟମ ୨/୧୯୫୬ର ସେକ୍ସନ ୪ ଓ ୫ ପ୍ରକାରେ ଅନୁସୂଚିତ ଜାତି ଓ ଜନଜାତିର ହିତାଧିକାରୀଙ୍କ ସହ ଚୁକ୍ତିନାମା କରିବାକୁ ମନା କରିଦେଲେ। ଏନେଇ ହିତାଧିକାରୀମାନେ ନନ୍ଦପୁର ବିଡିଓ ସୁଜିତ ମିଶ୍ରଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ବିଡିଓ ମିଶ୍ର ମଧ୍ୟ ସମାନ ନିୟମ ଥିବା କହି ହିତାଧିକାରୀଙ୍କୁ ନିରାଶ କରିଥିଲେ। ଘଟଣା ସମ୍ପର୍କରେ ପଟାଙ୍ଗି ବିଧାୟକ ପିତମ ପାଢୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏଥିପ୍ରତି ଦୃଷ୍ଟି ଦେଇ ଏହାର ପରିବର୍ତ୍ତନ କରିବାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି। ଆଗାମୀ କ୍ୟାବିନେଟ ବୈଠକରେ ମଞ୍ଜୁରୀ ହୋଇ ବିଧାନସଭାରେ ପ୍ରସ୍ତାବ ପାରିତ ହେବ ବୋଲି ବିଧାୟକ ପାଢ଼ୀ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଏହି ବର୍ଗର ଲୋକଙ୍କ ଜମିବାଡ଼ିକୁ ସବଳ ଲୋକଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିବାକୁ ସରକାର ଏଭଳି ନିୟମ ଓ କଟକଣା ଜାରି କରିଥିଲେ, ଯାହା ଏଯାଏ ଅପରିବର୍ତ୍ତିତ ରହିଛି। ଫଳରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକେ ନିଜ ଜମିବାଡ଼ିକୁ ବ୍ୟାଙ୍କରେ ବନ୍ଧକ ରଖି ବ୍ୟବସାୟ, ଗୃହଋଣ, ଶିକ୍ଷାଋଣ ଆଦି କୌଣସି ଋଣ ପାଇପାରୁନାହାନ୍ତି। ଯାହା ବର୍ତ୍ତମାନ ମୋ ଘର ଯୋଜନାରେ ପ୍ରତିଫଳିତ ହେଉଛି।