କାନାରା ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ

ଭୁବନେଶ୍ୱର,୧୬।୧୨: କାନାରା ବ୍ୟାଙ୍କ ପକ୍ଷରୁ ଏକ ମୋଗ ଋଣ ବଣ୍ଟନ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଗୋଟିଏ ଦିନରେ ୫୨୦ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ପ୍ରାୟ ୨୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ କୋଣାର୍କଠାରେ ଅନୁଷ୍ଠିତ ହୋଇଥିବା ଏକ ମେଗା ଏସ୍‌ଏଚ୍‌ଜି ଶିବିରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କାନାରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭବେନ୍ଦ୍ର କୁମାର ଏଭଳି ମତପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୁମାର ରାଜ୍ୟରେ ୧୯,୦୦୦ ଏସ୍‌ଏଚ୍‌ଜିଙ୍କୁ ୫୬୮କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଜଗଦୀଶ ଚନ୍ଦର ସ୍ବାଗତ ଭାଷଣ ଦେଇ ମହିଳା ସଶକ୍ତୀକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ଯୋଜନାରେ କାନାରା ବ୍ୟାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିବା କଥା ଦର୍ଶାଇଥିଲେ। ସେହିଭଳି ମିଶନ ଶକ୍ତିର ଉପସଚିବ ଆଶିଷ ରଞ୍ଜନ ସାହୁ ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍‌ଏଚ୍‌ଜିଙ୍କୁ ପ୍ରଦାନ କରାଯାଇଥିବା ଋଣର ସୁଧକୁ ପୁନର୍ବାର ସବ୍‌ସିଡି ଆକାରରେ ଫେରସ୍ତ କରାଯାଉଥିବା କଥା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଉପ-ମହାପ୍ରବନ୍ଧକ ଜି.ଏନ୍‌.ମୂର୍ତ୍ତି, ଡିଭିଜନାଲ ମ୍ୟାନେଜର ଅଶୋକ କୁମାର ମେହେର, ଜିଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କିଶୋର ଆଚାର୍ଯ୍ୟ ଏବଂ ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ ମହାମାୟା ପ୍ରସାଦ ରାଏ ପ୍ରମୁଖ ଯୋଗଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

Share