ଶସ୍ତା ହେବ ଋଣ, ଆରବିଆଇ ଗଭର୍ନର ଦେଲେ ସଙ୍କେତ…

ନୂଆଦିଲ୍ଲୀ,୨୬।୬ : ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ରେପୋ ହାରରେ ସୁଚିନ୍ତିତ ବୃଦ୍ଧି ଏବଂ ଯୋଗାଣ ଶୃଙ୍ଖଳାର ଉନ୍ନତି ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଏହାକୁ ଆହୁର ୪ ପ୍ରତିଶତକୁ ଆଣିବା ପାଇଁ ଉଦ୍ୟମ ଚାଲିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଅନିଶ୍ଚିତତା ଏବଂ ଏଲ ନିନୋ ସମ୍ଭାବନା ସହିତ ଅନ୍ତର୍ଜାତୀୟ ସ୍ତରରେ ଚ୍ୟାଲେଞ୍ଜ ରହିଛି।

ସୁଧ ହାର ଏବଂ ମୁଦ୍ରାସ୍ଫୀତି ଏକାଠି ଅଗ୍ରଗତି କରିଥାନ୍ତି। ସେଥିପାଇଁ ଯଦି ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସେ, ତେବେ ସୁଧ ହାର ମଧ୍ୟ ହ୍ରାସ ପାଇପାରେ। ଏଭଳି ମନ୍ତବ୍ୟ ଦେଇ ଦେଇ ସେ ଋଣ ଶସ୍ତା ହେବା ନେଇ ସଙ୍କେତ ଦେଇଛନ୍ତି। ୟୁକ୍ରେନ ଯୁଦ୍ଧ ହେତୁ ଗତ ବର୍ଷ ଫେବୃଆରୀ-ମାର୍ଚ୍ଚ ପରେ ମୁଦ୍ରାସ୍ଫୀତି ଯଥେଷ୍ଟ ବୃଦ୍ଧି ପାଇଥିଲା। ଏହି କାରଣରୁ, ଅନ୍ତର୍ଜାତୀୟ ସ୍ତରରେ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଥିଲା। ଗହମ ଏବଂ ଖାଇବା ତେଲ ପରି ଅନେକ ଖାଦ୍ୟ ସାମଗ୍ରୀ ୟୁକ୍ରେନ ଏବଂ ମଧ୍ୟ ଏସିଆ ଅଞ୍ଚଳରୁ ଆସିଥାଏ। ସେହି ଅଞ୍ଚଳରୁ ଯୋଗାଣ ଶୃଙ୍ଖଳା ବ୍ୟାଘାତ ମୂଲ୍ୟକୁ ବହୁଗୁଣିତ କରିଥିଲା।

ଆମେ ଅନେକ ପଦକ୍ଷେପ ନେଇଥିଲୁ। ଗତ ବର୍ଷ ମେ ମାସରୁ ଆମେ ସୁଧ ହାର ବୃଦ୍ଧି କରିବା ଆରମ୍ଭ କରିଥିଲୁ। ସରକାରୀ ସ୍ତରରେ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। ଏହି ପଦକ୍ଷେପଗୁଡିକ ମୁଦ୍ରାସ୍ଫୀତି ହ୍ରାସ କରିଛି ଏବଂ ଏହା ବର୍ତ୍ତମାନ ପାଞ୍ଚ ପ୍ରତିଶତରୁ କମ ରହିଛି। ମେ ମାସରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୨୫ ମାସର ସର୍ବନିମ୍ନ ୪.୨୫ ପ୍ରତିଶତ ଥିଲା। ଗତ ବର୍ଷ ଏପ୍ରିଲରେ ଏହା ୭.୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ଗତ ବର୍ଷ ମେ ଠାରୁ ଚଳିତ ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ୨.୫ ପ୍ରତିଶତ ବୃଦ୍ଧି କରିଛି।

Share