କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଖଣି ଅଞ୍ଚଳରେ କାମ ଧନ୍ଦା ପାଉ ନ ଥିବାରୁ ଅସନ୍ତୋଷ ବଢ଼ୁଥିବା ବେଳେ କେତେକ ଖଣି ସଂସ୍ଥା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଉ ଥିବାରୁ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ଯାଉଛି। ଯୋଡ଼ା ବ୍ଲକର ଜୁରୁଡି ପଞ୍ଚାୟତ ଅଞ୍ଚଳର ଲୋକମାନେ ସ୍ଥାନୀୟ ଓ ଏମ୍ସି ଖଣିରେ କାମ ଧନ୍ଦା ପାଇଁ ଦାବି କରି ବିଫଳ ହେବାରୁ ଧାରଣା ଦେଇ ଆନ୍ଦୋଳନ କରିଥିଲେ। ତେବେ ସ୍ଥାନୀୟ କେତେକ ପ୍ରଭାବଶାଳୀ ଲୋକ ଖଣି କମ୍ପାନୀକୁ ସମର୍ଥନ କରି ଜୋର୍ ଜବରଦସ୍ତ ଧାରଣାରୁ ଉଠାଇ ଦେବାରୁ ବୁଧବାର ଜିଲାପାଳଙ୍କ ପାଖକୁ ଆସି ଦାବି ଜଣାଇବା ସହ ନିଯୁକ୍ତି ପାଇଁ ଦାବି କରିଥିଲେ। ସ୍ଥାନୀୟ ଲୋକଙ୍କୁ କାମ ନ ଦେଇ ଅନ୍ୟ ଅଞ୍ଚଳର ଲୋକଙ୍କୁ କାମ ଦିଆଯାଉଥିବା ସେମାନେ ଅଭିଯୋଗ କରି ତଦନ୍ତ କରି କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଖଣି ଖାଦାନ ଯୋଗୁ ଜଙ୍ଗଲ, ଚାଷ ଜମି ସବୁ ଗଲା। ଏଣୁ ଖଣି ଖଦାନ କାମ କରି ଜୀବିକା ନିର୍ବାହ ଏକ ମାତ୍ର ବିକଳ୍ପ ଜୀବିକା ରହିଥିବା ବେଳେ ସେଠାରେ ନିଯୁକ୍ତି ନ ମିଳିଲେ କିପରି ଜୀବିକା ନିର୍ବାହ କରିବେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।