Categories: ଜାତୀୟ

ଜି-୨୦ରେ ବିଦେଶୀ ଅତିଥିଙ୍କ ପାଇଁ ଦେଶୀ ଖାଦ୍ୟ, ଜାଣନ୍ତୁ କ’ଣ ରହିଛି ମେନୁ…

ନୂଆଦିଲ୍ଲୀ,୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଅନେକ ଦେଶର ମୁଖ୍ୟମାନେ ଯୋଗଦେଇଛନ୍ତି। ଏହି ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ପ୍ରତିନିଧିଙ୍କ ସ୍ବାଗତ, ରହିବା ଏବଂ ଖାଦ୍ୟ ପାଇଁ ବିଶେଷ ଯତ୍ନ ନିଆଯାଇଛି। ବିଦେଶୀ ଅତିଥିମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକ ରାତ୍ରି ଭୋଜନର ଆୟୋଜନ କରାଯାଇଛି। ଶନିବାର ଆୟୋଜିତ ରାତ୍ରି ଭୋଜନ ପାଇଁ ଏକ ବିଶେଷ ଖାଦ୍ୟର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇଛି। ଜାଣନ୍ତୁ ଏହି ମେନୁରେ କ’ଣ ରହିଛି…

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କ ବ୍ରେକ୍‌ଫାଷ୍ଟରୁ ଆରମ୍ଭ କରି ଲଞ୍ଚ ଏବଂ ଡିନର ମେନୁରେ ୫୦୦ରୁ ଅଧିକ ଖାଦ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଦେଶୀ ଖାଦ୍ୟ ବିଷୟରେ କହିବାକୁ ଗଲେ ଦହିବରା, ସିଙ୍ଗଡ଼ା, ଭେଲପୁରୀ, ବଡ଼ା ପାଓ, ଚଟପଟି ଚାଟ୍‌, ଗୁପ୍‌ଚୁପ୍‌, ଦହି ପୁରୀ, ସେଓ ପୁରୀ, ମିର୍ଚିବରା, ଡାଲି ପରଟା, ପଲଉ, କଚୋଡ଼ି, ଆଳୁ ଦିଲ୍‌ ଖୁଶ, ଟିକି ଏବଂ ଯୋଧପୁରୀ କାବୁଲ ପଲଉ ଅନ୍ତର୍ଭୁକ୍ତ। ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟରେ ସିଙ୍ଗଡ଼ା, ପରଟା, ଖିରି ଏବଂ ହାଲଓ୍ବା ବି ରହିଛି। ଭାରତର ବିଭିନ୍ନ ରାଜ୍ୟର ଖାଦ୍ୟ ପ୍ଲେଟ୍‌ ରଖାଯାଇଛି। ଏଥିମଧ୍ୟରେ ବିହାରର ପ୍ରସିଦ୍ଧ ଲିଟି ଚୋଖା, ମାଣ୍ଡିଆରୁ ପ୍ରସ୍ତୁତ ରାଜସ୍ଥାନୀ ଡାଲ ବାଟି ଚୁର୍ମା, ବେଙ୍ଗଲ ରସଗୋଲା, ପଞ୍ଜାବର ପ୍ରସିଦ୍ଧ ଡାଲ ତଡ଼କା, ଦକ୍ଷିଣ ଭାରତର ଉତ୍ତପମ୍‌, ଇଟିଲି ଏବଂ ମସଲା ଦୋସା, ମାଲାବର ପରଟା, ଇଟିଲି ସମ୍ବର ଆଦି ରହିଛି।

ସାଲାଡରେ ଗ୍ରୀନ ସାଲାଡ, ପାସ୍ତା ଏବଂ ଗ୍ରୀନ୍‌ ପନିପରିବା ସାଲାଡ ଏବଂ ଚଣା ରହିଛି। ପନିର ଲାବବଦାର (ଉତ୍ତରପ୍ରଦେଶ ରନ୍ଧା ଖାଦ୍ୟ), ଆଳୁ ଲିଓନାଇଜ, ସବ୍‌ଜି କୋରମା (ଆନ୍ଧ୍ରପ୍ରଦେଶ ରୋଷେଇ), କାଜୁ ମଟର ଲହୁଣୀ ସାମିଲ ରହିଛି।

ଅନ୍ୟାନ୍ୟ ଖାଦ୍ୟରେ ଡାଲି ତଡ଼କା, ପିଆଜ ଜିରା ପଲଉ (ପଞ୍ଜାବୀ ଡିସ୍‌), ତନ୍ଦୁରୀ ରୁଟି, ବଟର ନାନ, କୁଲଚା ଅନ୍ତର୍ଭୁକ୍ତ। କାକୁଡି ରାଇତା, ତେନ୍ତୁଳି ଖଜୁରୀ ଚଟଣୀ, ମିକ୍ସ ଆଚାର, ସାଧା ଦହି ଆଦି ପରଷା ଯିବ।

ଏଥିସହିତ ମିଠା ମେନୁରେ ଜିଲାବି, କୁଟୁ ମାଲପୁଆ (ଉତ୍ତରପ୍ରଦେଶ ସ୍ପେଶାଲ), କେସର ପିସ୍ତା ରସମଲେଇ (ଓଡ଼ିଶା ସ୍ପେଶାଲ), ଗରମ ଅଖରୋଟ, ଅଦା ହାଲଓ୍ବା, ଷ୍ଟ୍ରବେରୀ ଆଇସ୍କ୍ରିମ, ବ୍ଲାକ କରେଣ୍ଟ ଆଇସ କ୍ରିମ, ଗୋଲାପ ଜାମୁ, ଗୋଲାପ ଚୁର୍ମା, ପିସ୍ତା କୁଲ୍‌ଫି ଏବଂ ଯୋଧପୁରୀ ମାଓ୍ବା କଚୋଡ଼ି ରହିଛି।

Share