ଅନୁଗୋଳ ଅଫିସ,୨୭।୪ – ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ ବୋଲ କାର୍ଯ୍ୟକ୍ରମ ନେଇ ଏକ ଖବରଦାତା ସମ୍ମିଳନୀ ମଙ୍ଗଳବାର ଅନୁଗୋଳସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବ କଂଗ୍ରେସ ରାଜ୍ୟ ସଭାପତି ସ୍ମୃତି ରଞ୍ଜନ ଲେଙ୍କା, ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ନମ୍ରତା ସୋନି, ରାଜ୍ୟ ଉପସଭାପତି ବିମଳ ବେହେରା, ଓବିସି ସେଲ୍ ସଭାପତି ଜିତେନ୍ଦ୍ର ସାହୁ, ଜିଲା ସଭାପତି ଲୁଟୁ ରଞ୍ଜନ ଥାପା, ସମ୍ପାଦକ ରାକେଶ ମିଶ୍ର, ଆଶୁତୋଷ ଲେଙ୍କା, ପ୍ରବୋଧ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ୟଙ୍ଗ ଇଣ୍ଡିଆ ବୋଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ପଞ୍ଜୀକରଣ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସଭାପତି ଲେଙ୍କା ଅନୁଗୋଳ ଜିଲାରେ ଥିବା ଖଣି ଖଦାନ ଏବଂ ଶିଳ୍ପ ଗୁଡିକରେ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ନ ମିଳିବା ଏବଂ ୫୫ ନମ୍ବର ଜାତୀୟ ରାଜପଥର ଦୂରବସ୍ଥା ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ଏହାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ଯୁବ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାଇ ଦେଇଥିଲେ।