ଶିଶୁ ଉଦ୍ୟାନରେ ତାଲା,ଉନ୍ନତୀକରଣ ନାଁରେ ଚାଲିଛି ଖର୍ଚ୍ଚ

ନବରଙ୍ଗପୁର,୯ା୪(ବି.ପ୍ର.): ନବରଙ୍ଗପୁର ପୌର ପରିଷଦ ୧୭ଟି ୱାର୍ଡକୁ ନେଇ ଗଠିତ। ଏହି ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଏକମାତ୍ର ଶିଶୁ ଉଦ୍ୟାନ କୃଷକ ବଜାରକୁ ଲାଗି ରହିଛି । ଯାହାକି, ୪ ବର୍ଷ ହେଲା ତାଲା ପଡି ରହିଛି। ଏଠାରେ ପିଲାଙ୍କ ଖେଳିବା ପାଇଁ ଦୋଳି ଓ ଖସଡ଼ା ଓ ବ୍ୟାୟାମ ପାଇଁ ରହିଥିବା ଯନ୍ତ୍ର, ସରଞ୍ଜାମ ସବୁ କଳଙ୍କି ଲାଗିଗଲାଣି। ଏପଟେ କିନ୍ତୁ ଉଦ୍ୟାନର ଉନ୍ନତୀକରଣ ପାଇଁ ପୌର ପରିଷଦ ପକ୍ଷରୁ ନିୟମିତ ବ୍ୟବଧାନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ଏବେ ପିଲାମାନଙ୍କ ପରୀକ୍ଷା ସରିଛି । ସହରର କେଉଁ ଆଡେ ବୁଲିବା ପରିବର୍ତ୍ତେ ଉଦ୍ୟାନକୁ ଖେଳିବା ବୁଲିବାକୁ ଗଲେ ତାଲା ପଡିଥିବା ଦେଖି ମନଦୁଃଖରେ ଫେରି ଆସୁଛନ୍ତି । ସେହିପରି ବରିଷ୍ଠ ନାଗରିକମାନେ ମଧ୍ୟ ସନ୍ଧ୍ୟାରେ ଚଲାବୁଲା କରିବା ପାଇଁ ଉଦ୍ୟାନକୁ ଖୋଲିବା ପାଇଁ ଦାବି କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।
୨୦୦୦ ନଭେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଶିଶୁ ଉଦ୍ୟାନକୁ ଉଦ୍‌ଘାଟନ କରିଥିଲେ । ପରବର୍ତ୍ତୀ ସମୟରେ ପୁଣି ଅନେକଥର ଉନ୍ନୟନ କାର୍ଯ୍ୟ କରାଗଲା। ୨୦୨୧ ଜୁଲାଇ ୧୮ ତାରିଖରେ ଯୁବସେବା ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ସ୍ମାର୍ଟ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ସେହିଦିନଠାରୁ ଉନ୍ନୟନ କାର୍ଯ୍ୟ ଦୂରେ ଥାଉ ଉଦ୍ୟାନରେ ୨୪ ଘଣ୍ଟା ତାଲା ପଡି ରହୁଛି। ଉଦ୍ୟାନ ପରିସରରେ ଲାଗିଥିବା ଲାଇଟ ଗୁଡିକ ମଧ୍ୟ ଏବେ ଆଉ ନାହିଁ । ଭିତରେ ନିର୍ମାଣ ହୋଇଥିବା ରାସ୍ତା ଭୁଶୁଡି ଗଲାଣି । ସବୁଆଡେ ଏବେ ଅନାବନା ଗଛ ଦେଖିବାକୁ ମିଳୁଛି ଏନେଇ ପୌର ପ୍ରଶାସନ ଓ ଜିଲାପାଳ ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱରତ୍‌ ସହ ନେଇ ଉଦ୍ୟାନର ଉନ୍ନତି କରଣ କରିବା ସହ ତାଲା ଖୋଲିବା ବ୍ୟବସ୍ଥା କରିବାକୁ ଦାବି ହେଉଛି ।