ମ୍ୟୁନିସିପାଲିଟି ପରିସରରେ ଥିବା ଲୁ’ରେ ତାଲା

ନବରଙ୍ଗପୁର,୨୨।୧୦(ସଦାଶିବ ପ୍ରହରାଜ)ପୌରସଂସ୍ଥା ପକ୍ଷରୁ ସହରରେ ୮ଟି ଲୁ ନିର୍ମାଣ କରାଯାଇଛି। ତେବେ କୌଣସି ଗୋଟିଏ ଲୁ ୨ ବର୍ଷ ହେବ ଖୋଲାଯାଇ ପାରିଲା ନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ସହରରେ ରାସ୍ତାକଡ଼ ଓ ବିଭିନ୍ନ କାର୍ଯ୍ୟାଳୟରେ ୮ ଟି ଲୁ ନିର୍ମାଣ କାର୍ଯ୍ୟ କରାଯାଇଛି। ପୌରସଂସ୍ଥା ପକ୍ଷରୁ ସମସ୍ତ ଲୁ ରେ ତାଲା ଝୁଲୁଛି। ମୁକ୍ତା ଯୋଜନା ନବରଙ୍ଗପୁର ପୌରସଂସ୍ଥା ପକ୍ଷରୁ ଫେଲ୍‌ ମାରିଛି। ଏହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପଥିକ ଓ ଜନଗହଳିପୂର୍ଣ୍ଣ ଏବଂ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ପରିସ୍ରାଗାର ଓ ଶୌଚ ପାଇଁ ଲୁ ନିର୍ମାଣ କରାଗଲା। ଲକ୍ଷାଧିକ ଟଙ୍କା ପୌରସଂସ୍ଥା ପକ୍ଷରୁ ଖର୍ଚ୍ଚ ହେଲା। ଏସବୁ ନିର୍ମାଣ ପରେ ତାଲା ପକାଇ ଦିଆଯାଇଛି। ଏସ୍‌ଏଚ୍‌ଜି ଗ୍ରୁପ୍‌ଗୁଡ଼ିକ ନାଁରେ ଠିକାଦାରମାନେ କାମ କରି ଭରପୂର ଫାଇଦା ଉଠାଇଲେ। ଏହାଦ୍ବାର ବୈଷୟିକ କର୍ମଚାରୀ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରକା ରହିଲା। ପରିମଳ ବ୍ୟବସ୍ଥା ସୁଧାର ଆଣିବା ଓ ମୌଳିକ ସୁବିଧା ଯୋଗାଇବା ମୁଖ୍ୟ କର୍ତ୍ତବ୍ୟ ରହୁଥିବା ପୌରସଂସ୍ଥା କାର୍ଯ୍ୟାଳୟ ପରିସରରେ ମଧ୍ୟ ଗୋଟିଏ ଲୁ ନିର୍ମାଣ କରାଯାଇଛି। ତାହାକୁ ମଧ୍ୟ ତାଲା ପକାଇ ରଖାଯାଇଛି। କାର୍ଯ୍ୟାଳୟକୁ ଜନସାଧାରଣ ଆସିଲେ ପରିସ୍ରା କରିବା ପାଇଁ କଣ ବାଡ଼ ଖୋଜୁଛନ୍ତି। ଉକ୍ତ ଲୁ କବାଟ ସମ୍ମୁଖରେ ଆବର୍ଜନା ଗଦା କରି ରଖାଯାଇଛି। ଆଲୋକ ସଂଯୋଗୀକାରଣ କରାଯାଇନାହିଁ। ପାଇପ ସଂଯୋଗ ହୋଇଛି, କିନ୍ତୁ ପାଣି ଆସୁନାହିଁ। ବିଦ୍ୟୁତ୍‌ ସଂଯୋଗ ପାଇଁ ବିଭାଗକୁ ଟଙ୍କା ମଧ୍ୟ ପୈଠ କରାଯାଇଛି। ଏନେଇ ପୌରାଧ୍ୟକ୍ଷ କୁନୁ ନାୟକଙ୍କୁ ପଚାରିବାରୁ ଲୁ ପରିଚାଳନା ଦାୟିତ୍ୱ ଏସ୍‌ଏଚ୍‌ଜିମାନଙ୍କୁ ଦିଆଯାଇଛି। ସେମାନେ ଖୋଲିବେ। ବିଦ୍ୟୁତ୍‌ ସଂଯୋଗ ପାଇଁ ଟଙ୍କା ପୈଠ କରାଯାଇଛି। ତୁରନ୍ତ ଲୁ ଖୋଲାଯିବ ବୋଲି ସେ କହିଛନ୍ତି।