ନିର୍ବାହୀ ଅଧିକାରୀଙ୍କୁ ତାଲା

ରାଜନଗର,୧୮।୧୧(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟରଙ୍କୁ ସାମିଲ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତସ୍ତରରେ ଭୋଟର ତାଲିକା ପ୍ରକାଶ କରାଯିବା ସହ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବ୍ଲକର କର୍ମଚାରୀମାନେ ପଞ୍ଚାୟତସ୍ତରରେ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ କରୁଛନ୍ତି। ନୂତନ ଭୋଟରଙ୍କୁ ଯୋଗ କରାଯାଉଥିବାବେଳେ ମୃତ ଓ ଅନ୍ୟସ୍ଥାନରେ ଥିବାଭୋଟରଙ୍କୁ ବାଦ୍‌ ଦିଆଯାଉଛି। ଭୋଟର ତାଲିକାରେ ତ୍ରୁଟି ଥିଲେ ଚଳିତମାସ ୧୬ ରୁ ୨୩ ତାରିଖ ମଧ୍ୟରେ ଅଭିଯୋଗ କରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି। ରାଜନଗର ବ୍ଲକ ଡେରା ପଞ୍ଚାୟତରେ ମଙ୍ଗଳବାର ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡସ୍ତରୀୟ ଭୋଟର ତାଲିକା ପ୍ରକାଶ କରାଯାଇଥିଲା। ଏହି ତାଲିକାରେ ତ୍ରୁଟି ଜଣା ପଡିବା ପରେ ଡେରା ପଞ୍ଚାୟତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ଗାଁର ଭୋଟରଙ୍କ ନାଁ ଅନ୍ୟ ଗାଁରେ ରହିଛି। ଉକ୍ତ ପଞ୍ଚାୟତର ୧ ହଜାରରୁ ଅଧିକ ଭୋଟରଙ୍କ ତାଲିକାରେ ଏପରି ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ବୁଧବାର ୨ୟ ଦିନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁକୁମାର ମଣ୍ଡଳ ଭୋଟର ତାଲିକା କାର୍ଯ୍ୟରେ ପଞ୍ଚାୟତ ଅଫିସକୁ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ଲୋକ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଅଫିସ ଭିତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରହିଥିଲେ। ଖବର ପାଇ ଏବିଡିଓ ଶ୍ରୀକାନ୍ତ କୁମାର ମହାନ୍ତି, ଜିପିଇଓ ଧର୍ମେନ୍ଦ୍ର କୁମାର ଦାଶ ଘଟଣାସ୍ଥଳରେ ପହଞ୍ଚତ୍ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ୨୦୧୭ର ୱାର୍ଡ ଅନୁଯାୟୀ ଭୋଟର ତାଲିକାକୁ ଗୁରୁବାର ସୁଦ୍ଧା ପ୍ରକାଶ କରାଯିବ ା ଯେଉଁମାନେ ନୂତନ ଭୋଟର ହେବେ, ସେମାନେ ଆବେଦନ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ୟକ୍ତଲୋକେ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଖୋଲିଥିଲେ।

Share