ଲକ୍‌ଡାଉନ୍‌କୁ ଉଲ୍ଲଂଘନ ପଡ଼ିଲା ମହଙ୍ଗା: ୫୧,୮୭୮ ଅମାନିଆଙ୍କୁ ଜରିମାନା, ୫୧୭୪ଜଣଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୫।୫: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତି ଏଭଳି ଉପୁଜିଛି ଯେ, କରୋନାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଲମ୍ବାଧାଡ଼ି ଲଗାଇବାକୁ ପଡ଼ୁଛି। ଏଭଳି ସ୍ଥିତିରେ ବି ଅମାନିଆମାନେ ସଚେତନ ହେଉନାହାନ୍ତି। ଦିଲ୍ଲୀରେ ଏପ୍ରିଲ ୧୯ରୁ ଏପର୍ଯ୍ୟନ୍ତ ଲକ୍‌ଡାଉନ ଜାରି ରହିଛି। ରାଜ୍ୟରେ ଲକ୍‌ଡାଉନ୍‌ରେ ସତ୍ତ୍ୱେ କେତେକ ଆମାନିଆ ବାହାରେ ବୁଲୁଛନ୍ତି। ଏଥିସହ ଲୋକମାନେ ମାସ୍କ ପରିଧାନ ନ କରିବା ସହ ସାମାଜିକ ଦୂରତ୍ୱ ମଧ୍ୟ ରକ୍ଷା କରୁନାହାନ୍ତି। ଏମାନଙ୍କୁ ସାବାଡ଼ କରିବାକୁ ଯାଇ ଦିଲ୍ଲୀ ପୋଲିସ ଏପ୍ରିଲ ୧୯ରୁ ମେ’ ୧୩ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ ୫୧୭୪ଜଣଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରିଥିବା ବେଳେ ୪୫୩୬ଜଣଙ୍କୁ ଗିରଫ କରିଛି। ଏତଦ୍‌ ବ୍ୟତୀତ ମାସ୍କ ନ ପିନ୍ଧିବା ଯୋଗୁ ୫୧,୮୭୮ ଓ ସାମାଜିକ ଦୂରତ୍ୱ ରକ୍ଷା ନ କରିବାରୁ ୮୨୨୩ଜଣ ଅମାନିଆଙ୍କ ନାଁରେ ପୋଲିସ ଚାଲାଣ କାଟିଥିବା ଜଣାପଡ଼ିଛି। ତେବେ କୋଭିଡ ନିୟମ ପାଳନ କରୁ ନ ଥିବା ଆମାନିଆଙ୍କଠାରୁ ଏସବୁ ଚାଲାଣରେ ପୋଲିସ ୧କୋଟି ୧୪ଲକ୍ଷ ୪୮ହଜାର ୩୮୨ଟଙ୍କା ଆଦାୟ କରିଥିବା ସୂଚନା ମିଳିଛି।

Share