ଏହି ରାଜ୍ୟରେ ମେ’୨୫ ଯାଏ ବଢ଼ିଲା ଲକ୍‌ଡାଉନ

ପାଟନା,୧୩।୫: ବିହାରରେ ବର୍ଦ୍ଧିତ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକ୍‌ଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମେ’ ୨୫ ପର୍ଯ୍ୟନ୍ତ ଲକ୍‌ଡାଉନ ବୃଦ୍ଧି କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କରୋନା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ ମନ୍ତ୍ରୀମାନେ ଓ ଉଚ୍ଚ ପଦାଧିକାରୀ ସାମିଲ ହୋଇଥିଲେ। ଉକ୍ତ ଲକ୍‌ଡାଉନରୁ ରାଜ୍ୟରେ ସକରାତ୍ମକ ଫଳ ମିଳିଥିବାରୁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ଲକ୍‌ଡାଉନ ଯୋଗୁଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମେ’୧୫ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏବେ ଏହାର ଅବଧିକୁ ମେ’ ୨୫ ଯାଏ ବୃଦ୍ଧି କରାଯାଉଛି। ହେଲେ ଚଳିତ ଥର ଲକ୍‌ଡାଉନ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଣିକି ବିବାହ ସମାରୋହରେ ୨୦ଜଣ ବ୍ୟକ୍ତି ସାମିଲ ହୋଇପାରିବେ। ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦୋକାନ ଖୋଲିବା ସମୟର ମଧ୍ୟ ପରିବର୍ତ୍ତନ କରାଯାଇଛି। ସହରାଞ୍ଚଳରେ ପନିପରିବା, ରାଶନ, ଅଣ୍ଡା, ମାଛ ଦୋକାନଗୁଡ଼ିକ ସକାଳ ୮ଟାରୁ ୧୦ଟା ଯାଏଁ ଖୋଲା ରହିବ ଏବଂ ଗ୍ରାମାଞ୍ଚଳରେ ଏହା ୧୨ଟା ଯାଏଁ ଖୋଲା ରହିବ। ଆଉ ବାକି କଟକଣା ପୂର୍ବଭଳି ବଳବତ୍ତର ରହିବ ବୋଲି ସୂଚନା ରହିଛି।

Share