ଲକ୍‌ଡାଉନ୍‌ ପ୍ରଭାବ: ୧୦ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ,୧୭।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ପୂର୍ବପରି ରହିଛିି। ମେ’ ୭ରୁ ୧୬ ମଧ୍ୟରେ ଗତ ୧୦ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ କମ୍‌ ରହିଛି। ଏହି ସମୟ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ୩୮୬ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୪,୧୦୬ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତ ୨୬ ଦିନ ମଧ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏପ୍ରିଲ୍‌ ୨୦ରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୪ ହଜାରରରୁ ଅଧିକ ଥିଲା। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନ ଏବଂ କବରସ୍ତାନ ବାହାରେ ମୃତଦେହଗୁଡ଼ିକ ଧାଡ଼ିରେ ରହିଥିବାର ଦେଖିବାକୁ ମିଳୁଛି। ବର୍ତ୍ତମାନ ସୁଦ୍ଧା ୧୮ କୋଟି ୨୯ ଲକ୍ଷ ୨୬ ହଜାର ୪୬୦ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୧ କୋଟି ୬୪ ଲକ୍ଷ ୨୩ ହଜାର ୬୫୮ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

Share