କିଛି ସପ୍ତାହ ଲକ୍‌ଡାଉନ୍‌ ଏବେ ଭାରତରେ ଆବଶ୍ୟକ: ଆମେରିକା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୫: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏପରିସ୍ଥଳେ ଭାରତରେ ଲକ୍‌ଡାଉନ୍‌ ଲାଗୁ କରିବ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମୁଖ୍ୟ ମେଡ଼ିକାଲ ପରାମର୍ଶଦାତା ତଥା ମହାମାରୀ ବିଶେଜ୍ଞ ଡ. ଆନ୍ଥୋନୀ ଫାୟୁସି ଗୁରୁତ୍ୱାରୋପ କରିଛନ୍ତି। ଭାରତ ସରକାର ଗତ ୬ ମାସ ଧରି କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ କାମ କରୁଛନ୍ତି। ତେବେ ସାମ୍ପ୍ରତିକ ସ୍ଥିତିରେ କିଛି ସପ୍ତାହର ଲକ୍‌ଡାଉନ୍‌ ଦ୍ୱାରା ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି। କରୋନା ସହିତ ଲଢ଼େଇରେ ଅକ୍ସିଜେନ୍‌, ପିପିଇ କିଟ୍‌ ଏବଂ ଔଷଧ ଅପରିହାର୍ଯ୍ୟ। ସଙ୍କଟର ମୁକାବିଲା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ସମସ୍ତ କାର୍ଯ୍ୟ ସମୀକ୍ଷା ସହିତ ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି ଯେ, ଚାଇନା ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଲାଗୁ କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଭାରତ ପାଇଁ ମଧ୍ୟ ଏଭଳି ପଦକ୍ଷେପ ଜରୁରୀ। ଏହାଦ୍ୱାରା ଭାରତରେ ଦେଖାଦେଇଥିବା କରୋନା ମହାମାରୀ ସ୍ଥିତିରେ ସୁଧାର ଆସିପାରିବ ବୋଲି ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି।

Share