କରୋନା ସଂକ୍ରମଣ: ଲକ୍‌ଡାଉନ ମୁହାଁ ବିଶ୍ୱ

ବର୍ଲିନ,୭ ।୧: କରୋନା ଭାଇରସ ସଂକ୍ରମଣ ବିଭିନ୍ନ ଦେଶରେ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଭିନ୍ନ ଦେଶରେ ଦେଖାଦେବା ସହ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ଏବେ ବିଭିନ୍ନ ଦେଶ ଲକ୍‌ଡାଉନ ଘୋଷଣା କରିଥିବା ବେଳେ ଆଉ କେତେକ ଦେଶ ଲକ୍‌ଡାଉନ ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଇଛି । ପ୍ରଥମେ କରୋନାର ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ । ଏବେ ଜର୍ମାନୀରେ ମଧ୍ୟ ଏହି ଲକ୍‌ଡାଉନ ଜାରି କରାଯାଇଥିବା ଜଣାପଡିଛି । ଜର୍ମାନୀରେ ୩୧ ଜାନୁୟାରୀ ପର୍ଯ୍ୟନ୍ତ ନେଶନୱାଇଡ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ଷ୍ଟେଟ ଗଭର୍ନର୍ସଙ୍କ ଉପଦେଶ ପରେ ନିଆଯାଇଛି । କାରଣ ବେଳକୁ ବେଳ ଏଠାରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଲେବାନନରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଫେବୃୟାରୀ ୧ ପର୍ଯ୍ୟନ୍ତ ୨୫ ଦିନିଆ ଲକ୍‌ଡାଉନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡିଛି । ଆମେରିକାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ଥମି ନ ଥିବା ବେଳେ ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅନୁମାନ କରି ୬୩ତମ ଗ୍ରାମୀ ଆୱାର୍ଡକୁ ବନ୍ଦ କରି ଦିଆଯାଇଛି । ମାର୍ଚ୍ଚ ୧୪ରେ ଏହା ପୁଣିଥରେ କରାଯିବ ବୋଲି କୁହାଯାଉଛି । ଏବେବି ଆମେରିକାରେ ପ୍ରତିଦିନ ୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ସେହିପରି କରୋନାର ଉତ୍ପତି ସ୍ଥଳ ଚାଇନାରେ ବି ପ୍ରତିବନ୍ଧକ ବଢାଇ ଦିଆଯାଇଛି । ଏଠାରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ସରକାର ସତର୍କ ହୋଇଯାଇଥିବା କୁହାଯାଉଛି ।

Share