ଜୟପୁର,୨୦ା୭(ଡି.ଏନ୍.ଏ ): କୋରାପୁଟ ଜିଲାରେ ପୁଣି ଲାଗୁ ହେବ ଲକ୍ଡାଉନ୍। କରୋନା ସଂକ୍ରମିତ ସଂଖ୍ୟା ବଢ଼ୁଥିବାରୁ ଜିଲାର ଜୟପୁର, କୋରାପୁଟ, ସୁନାବେଢା, କୋଟପାଡ ୪ଟି ସହରାଞ୍ଚଳରେ ଲକ୍ଡାଉନ୍ ଲାଗୁହେବ। ଏଥିସହ ଲକ୍ଷ୍ମୀପୁର, ବୋରିଗୁମ୍ମା, ପଟାଙ୍ଗି ବ୍ଲକର ସଦର, କୋରାପୁଟ ବ୍ଲକର ମାଥାଲପୁଟ, ସେମିଳିଗୁଡା ବ୍ଲକର ଚାରାଙ୍ଗୁଲ ପଞ୍ଚାୟତରେ ଜିଲା ପ୍ରଶାସନ ଲକ୍ଡାଉନ୍ ଘୋଷଣା କରିଛି। ସୋମବାର ମଧ୍ୟରାତ୍ରରୁ ଆସନ୍ତା ୨୭ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଏହି ସମୟରେ କେବଳ ଜରୁରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ ବ୍ୟାଙ୍କଗୁଡିକ ପୂର୍ବାହ୍ନ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲାରହିବ। ସେହିପରି କୋରାପୁଟ ପୌରାଞ୍ଚଳରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ କର୍ମିମାନେ ସ୍ବାସ୍ଥ୍ୟ ପରୀକ୍ଷା କରିବେ ବୋଲି ଜିଲାପାଳ ମଧୁସୂଦନ ମିଶ୍ର କହିଛନ୍ତି।