ଲାହୋରରେ ଲକଡାଉନ…

ଇସଲାମାବାଦ,୧୦।୧୦ : ବାୟୁମଣ୍ଡଳରେ ଧୂଆଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ପଞ୍ଜାବ ସରକାର ପ୍ରାଦେଶିକ ରାଜଧାନୀ ଲାହୋରରେ କରୋନା ମହାମାରୀ ସମୟ ଭଳି ପ୍ରତିବନ୍ଧକ ଲଗାଇ ପାରନ୍ତି। ମଙ୍ଗଳବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଜିଓ ନ୍ୟୁଜ ସୂତ୍ରରୁ ପ୍ରକାଶ ବୁଧବାର ଦିନ ସମସ୍ତ ବିଦ୍ୟାଳୟ, ବଜାର ଏବଂ କାରଖାନା ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସମ୍ପୂର୍ଣ୍ଣ ଲକଡାଉନ କରାଯିବାର ଯୋଜନା ରହିଛି। ସହର କମିଶନର କହିଛନ୍ତି ଲାହୋର ଡିଭିଜନରେ ଧୂଆଁର ମୁକାବିଲା ପାଇଁ ଅଧିକାରୀମାନେ ଦୁଇ ମାସ ଧରି ଓ୍ବାର୍କ ଆଟ ହୋମ କରିବେ। ବୁଧବାର ବଜାର ବନ୍ଦ ରଖିବାକୁ ପ୍ରସ୍ତାବ ଉପରେ ବ୍ୟବସାୟୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
କମିଶନର୍‌ ମହମ୍ମଦ ଅଲି ରାନ୍ଧୱା କହିଛନ୍ତି ଯଦି ବ୍ୟବସାୟୀମାନେ ଚାହାଁନ୍ତି ତେବେ ସେମାନେ ରବିବାର ଦିନ ବଜାର ଖୋଲିପାରିବେ। ରିପୋର୍ଟରେ କୁହାଯାଇଛି ନୂତନ ନୀତି ଅନୁଯାୟୀ ସରକାରୀ ବିଭାଗ ବୁଧବାର ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାମ କରିବ। ସପ୍ତାହ ଶେଷରେ ଶନିବାର ଏବଂ ରବିବାର ସ୍ନାପ ଯାଞ୍ଚ ମଧ୍ୟ ପରାମର୍ଶ ଦିଆଯାଇଛି ।
ଏହି ରିପୋର୍ଟରେ କୁହାଯାଇଛି ନିୟମ ଉଲ୍ଲଂଘନ କରୁଥିବା କାରଖାନାଗୁଡ଼ିକ ଉପରେ ଜରିମାନା ଲାଗୁ କରିବାକୁ ଏବଂ ନିର୍ଦ୍ଦେଶକୁ ଅବମାନନା କଲେ ସେମାନଙ୍କୁ ବନ୍ଦ କରିବାକୁ ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ ସପ୍ତାହର ପ୍ରଥମ ତିନି ଦିନ ସୋମବାରରୁ ବୁଧବାର ମଧ୍ୟରେ ସର୍ବାଧିକ ସ୍ତରର କୁହୁଡି ରେକର୍ଡ କରାଯାଇଛି।

Share