Categories: ଖେଳ

ସାଉଥ ଅଷ୍ଟ୍ରେଲିଆରେ ଲକ୍‌ଡାଉନ୍‌ : ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ ସମ୍ଭାବନା ବୃଦ୍ଧି

ଆଡିଲେଡ୍‌, ୨୧ା୧୨ (ପି.ଟି.)-କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ୬ ଦିନିଆ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଫଳରେ ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆୟୋଜନ ସମ୍ଭାବନା ବୃଦ୍ଧି ପାଇଛି। ଆକସ୍ମିକ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରୁ ସାଉଥ ଅଷ୍ଟେଲିଆ ଏହାର ସୀମାକୁ ବନ୍ଦ କରିଦେଇଛି। ପ୍ରଦେଶରେ ସଂକ୍ରମଣଙ୍କ ସଂଖ୍ୟା ବର୍ତ୍ତମାନ ୫୫୧ ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ଙ୍କ ସମେତ କ୍ରିକେଟରମାନଙ୍କୁ ବିମାନ ଯୋଗେ ନ୍ୟୁ ସାଉଥ ଓ୍ବେଲ୍ସ ସ୍ଥାନାନ୍ତର କରାଯାଇଛି। ମ୍ୟାଚ ବେଳକୁ ପରିସ୍ଥିତି କ’ଣ ଥିବା କୌଣସି ଗ୍ୟାରେଣ୍ଟି ଦେଇ ହେବନାହିଁ ବୋଲି ସାଉଥ ଅଷ୍ଟ୍ରେଲିଆରେ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ନିକୋଲା ସ୍ପରିଅର କହିଛନ୍ତି। ତେବେ ଲକ୍‌ଡାଉନ୍‌ ଦ୍ୱାରା ସ୍ବାଭାବିକ ଜୀବନଯାତ୍ରା ଫେରିବା ସହ କ୍ରିକେଟ ମ୍ୟାଚ ସମ୍ଭବ ହୋଇପାରିବ ବୋଲି ସେ ଆଶା କରୁଛନ୍ତି। ଟେଷ୍ଟ ମ୍ୟାଚଗୁଡ଼ିକ ଖେଳାଯିବାପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ନଭେମ୍ବର ୨୭ରୁ ସୀମିତ ଓଭର ସିରିଜ ଖେଳିବ। ଏଥିରେ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ମଧ୍ୟ ରହିଛି।

Share