ଆଜିଠୁ ରାଜ୍ୟରେ ଲକ୍‌ଡାଉନ: ସାଧାରଣ ଯାତାୟାତ ଉପରେ କଟକଣା

ଭୁବନେଶ୍ୱର,୫/୫(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ବେଳକୁ ବେଳ ମାଡ଼ି ଚାଲିଛି। କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୮ହଜାର ଉପରେ ରହୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାରଠାରୁ ମେ’ ୧୯ତାରିଖ ସକାଳ ୫ଟା ଯାଏ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏଥିସହିତ ସପ୍ତାହାନ୍ତ ଶଟ୍‌ଡାଉନ ମଧ୍ୟ ଜାରି ରହିବ। ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୫ଟା ଯାଏ ଶଟ୍‌ଡାଉନ ଜାରି ରହିବ। ଲକ୍‌ଡାଉନ ସମୟରେ ଲୋକମାନଙ୍କ ଯାତାୟାତ ଉପରେ କଟକଣା ରହିବ। ଲକ୍‌ଡାଉନକୁ କଡ଼ାକଡ଼ି ଭାବେ ପରିଚାଳନା କରିବାକୁ ସମସ୍ତ ଜିଲାର ଏସ୍‌ପି, ପୋଲିସ କମିଶନରଙ୍କୁ ଜଣାଇ ଦିଆଯାଇଛି। ତେବେ ଲକ୍‌ଡାଉନ ସମୟରେ ମାଲ୍‌ ପରିବହନ ଏବଂ ଟିକାକରଣ ଚାଲୁରହିବ। ଟିକା ନେବା ପାଇଁ ଯୋଗ୍ୟ ବ୍ୟକ୍ତି ନିକଟସ୍ଥ କୋଭିଡ୍‌ ଟିକାକରଣ କେନ୍ଦ୍ର(ସିଭିସି)କୁ ଟାକ୍ସି, ଅଟୋରିକ୍ସା କିମ୍ବା ନିଜର ଯାନବାହନ ସାହାଯ୍ୟରେ ଯାଇପାରିବେ। ଏଥିସହିତ ଲୋକମାନେ ସରକାରୀ କିମ୍ବା ଘରୋଇ କୋଭିଡ୍‌ ପରୀକ୍ଷା କେନ୍ଦ୍ରକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିପାରିବେ। ଲକ୍‌ଡାଉନ ସମୟରେ ବସ୍‌ ସେବା ବନ୍ଦ ରହିବ। ମେଡିକାଲ କାରଣ ବ୍ୟତୀତ ଅନ୍ୟ କୌଣସି ବାହାନା ଦେଖାଇ ଲୋକମାନେ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସମସ୍ତ ପ୍ରକାର ବ୍ୟବସାୟିକ ମେଳା, ବୈଠକ ଆଦି ଉପରେ କଟକଣା ଜାରି କରାଯାଇଛି। ସମସ୍ତ ସିନେମା ହଲ୍‌, ମଲ୍‌, ମାର୍କେଟ କମ୍ପ୍ଲେକ୍ସ, ଜିମ୍‌ନାସିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ୍‌, ଥିଏଟର, ପାର୍କ, ବାର୍‌, ଅଡିଟୋରିୟମ, ମିନାବଜାର ଇତ୍ୟାଦି ବନ୍ଦ ରହିବ। ସେହିପରି ଯାତ୍ରା, ଖୋଲା ମଞ୍ଚ ଉପରେ କଟକଣା ଜାରି କରାଯାଇଛି। ସମସ୍ତ ସେଲୁନ, ବିୟୁଟି ପାର୍ଲର, ସ୍ପା ଇତ୍ୟାଦି ବନ୍ଦ ରହିବ। ସମସ୍ତ ପ୍ରକାର ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକଳାପ ବନ୍ଦ ରହିବ। ବିବାହ ପାଇଁ ୫୦ ଜଣ ଓ ଶୁଦ୍ଧିକାର୍ଯ୍ୟ ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁଯାୟୀ ଉକ୍ତ କାର୍ଯ୍ୟ ସମ୍ପାଦନ କରିବାକୁ କୁହାଯାଇଛି।
ତେବେ ଲକ୍‌ଡାଉନ ସମୟରେ ହସ୍ପିଟାଲ, କ୍ଲିନିକ, ଟେଲି ମେଡିସିନ, ସମସ୍ତ ପ୍ରକାର ଔଷଧ ଦୋକାନ, ମେଡିକାଲ ଉପକରଣ ଦୋକାନ, ମେଡିକାଲ ଲାବୋରେଟୋରି, କଲେକ୍ସନ ସେଣ୍ଟର ଖୋଲା ରହିବ। ଔଷଧ ପ୍ରସ୍ତୁତ ୟୁନିଟ୍‌, ସ୍ବାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଚାଲୁରହିବ। ବ୍ୟାଙ୍କ, ଏଟିଏମ୍‌ କାଉଣ୍ଟର ଖୋଲାରହିବ। ତେଜରାତି, ଦୁଗ୍ଧ, ପନିପରିବା, ମାଛ, ମାଂସ ଦୋକାନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ରେଷ୍ଟୁରାଣ୍ଟ ଓ ଢାବାଗୁଡିକରେ କେବଳ ପାର୍ସଲ ବ୍ୟବସ୍ଥା ରହିବ। ହୋମ୍‌ ଡେଲିଭରି, ଇଣ୍ଟରନେଟ୍‌, ଟେଲି କମ୍ୟୁନିକେଶନ, ଇଲେକ୍ଟ୍ରୋନିକ, ଛାପା ଗଣମାଧ୍ୟମକୁ ଅନୁମତି ପ୍ରଦାନ କରାଯାଇଛି। ଗ୍ୟାରେଜ, ଯାନବାହନ ମରାମତି ଦୋକାନ ଖୋଲା ରହିବ। ସମସ୍ତ ପ୍ରକାର କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ଜାରି ରହିବ।

Share