ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ ମନା

ନୂଆଦିଲ୍ଲୀ, ୩୦।୮: ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ୍‌ ଘୋଷଣା କରିପାରିବେ ନାହିଁ। ତେବେ ଆବଦ୍ଧାଞ୍ଚଳରେ ଲକ୍‌ଡାଉନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କଡ଼ାକଡ଼ି ଲାଗୁ ହେବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଅନ୍‌ଲକ୍‌ ୪ ପରିପ୍ରେକ୍ଷୀରେ ଜାରି କରାଯାଇଥିବା ନିୟମାବଳୀରେ ସ୍ପଷ୍ଟ କରାଯାଇଛି। ଅନ୍‌ଲକ୍‌ ୪ରେ ଆନ୍ତଃରାଜ୍ୟ କିମ୍ବା ରାଜ୍ୟ ଭିତରେ ଗମନାଗମନ ଓ ମାଲ୍‌ ପରିବହନ ପାଇଁ ସ୍ବତନ୍ତ୍ର ଅନୁମତି କିମ୍ବା ଇ-ପର୍‌ମିଟ୍‌ର ଆବଶ୍ୟକ ପଡ଼ିବ ନାହିଁ ବୋଲି ଏହି ଗାଇଡ୍‌ଲାଇନରେ କୁହାଯାଇଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ୨୪ରେ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିଥିଲେ। ତେବେ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦେଇ ପର୍ଯ୍ୟାୟକ୍ରମେ ତାଲା ଖୋଲିବା ବା ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଛି। ଅନ୍‌ଲକ୍‌ ୩ ଅଗଷ୍ଟ ୩୧ରେ ଶେଷ ହେବାକୁ ଯାଉଥିବାବେଳେ ସେପ୍ଟେମ୍ବର ପହିଲାରୁ ଦେଶରେ ଅନ୍‌ଲକ୍‌ ୪ ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ସରକାର ଶନିବାର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ଗାଇଡ୍‌ଲାଇନ ଅନୁଯାୟୀ ସେପ୍ଟେମ୍ବର ୭ରୁ ପର୍ଯ୍ୟାୟକ୍ରମେ ମେଟ୍ରୋ ରେଳସେବା ଆରମ୍ଭ ହେବ। ଏଥିପାଇଁ ଖୁବ୍‌ଶୀଘ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିବେ। ଚତୁର୍ଥ ପର୍ଯ୍ୟାୟ ଅନ୍‌ଲକ୍‌ରେ ସେପ୍ଟେମ୍ବର ୨୧ରୁ ସାମାଜିକ, ରାଜନୈତିକ, ଶୈକ୍ଷିକ, କ୍ରୀଡ଼ା, ଧର୍ମୀୟ ତଥା ଅନ୍ୟାନ୍ୟ ଉତ୍ସବରେ ୧୦୦ ଜଣ ଲୋକଙ୍କୁ ଭାଗନେବା ଲାଗି ଅନୁମତି ମିଳିବ। ତେବେ ଏଥିପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧିବା, ଥର୍ମାଲ ସ୍କାନିଂ ଓ ହ୍ୟାଣ୍ଡ ଓ୍ବାଶ୍‌ ତଥା ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି। ତେବେ ସ୍କୁଲ୍‌କୁ ୫୦ ପ୍ରତିଶତ ଶିକ୍ଷକ ଆସିବେ। ଏହି ସମୟରେ ଅନ୍‌ଲାଇନ ଶିକ୍ଷାଦାନ ଜାରି ରହିବ। ଶିକ୍ଷକଙ୍କଠାରୁ ପାଠ ବୁଝିବା ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ସ୍କୁଲକୁ ଯାଇପାରିବେ। ଏଥିପାଇଁ ସେମାନଙ୍କୁ ମାତାପିତା ବା ଅଭିଭାବକଙ୍କଠାରୁ ଲିଖିତ ଅନୁମତି ଆଣିବାକୁ ପଡ଼ିବ। ଦକ୍ଷତା କିମ୍ବା ଔଦ୍ୟୋଗିକ ତାଲିମ ପାଇଁ ଅନୁମତି ଦିଆଯାଇଛି। ସୁଇମିଂ ପୁଲ୍‌ ଓ ଇନ୍‌ଡୋର ଥିଏଟର ମଧ୍ୟ ଅନ୍‌ଲକ୍‌ ୪ରେ ବନ୍ଦ ରହିବ। ଖୋଲା ରଙ୍ଗମଞ୍ଚକୁ ସେପ୍ଟେମ୍ବର ୨୧ରୁ ଖୋଲିବାକୁ ଅନୁମତି ମିଳିବ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମତାମତ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ ତଥା ବିଭାଗଗୁଡ଼ିକର ପରାମର୍ଶ ଆଧାରରେ ଏହି ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇଛି। କୋଭିଡ୍‌-୧୯ ପରିଚାଳନା ଜାତୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଦୋକାନରେ ଗ୍ରାହକଙ୍କ ମଧ୍ୟରେ ଯଥେଷ୍ଟ ଦୂରତା ବଜାୟ ରଖିବାକୁ କୁହାଯାଇଛି। ଏହା ବ୍ୟତୀତ ଆରୋଗ୍ୟ ସେତୁ ମୋବାଇଲ ଆପ୍‌ ବ୍ୟବହାର ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି। ଅଧିକ ସଂକ୍ରମଣ ଆଶଙ୍କା ଥିବା ୬୫ ବର୍ଷରୁ ଅଧିକ ବ୍ୟକ୍ତି, ଗର୍ଭବତୀ ମହିଳା, ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Share