Categories: ଜାତୀୟ

ଜୁନ୍‌ ୩୦ ପରେ ବି ଜାରି ରହିବ ଲକ୍‌ଡାଉନ: ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ସାରା ଦେଶରେ ମାର୍ଚ୍ଚ ମାସରୁ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ଜୁନ୍‌ ମାସ ଆରମ୍ଭରେ ଅଧିକାଂଶ ରାଜ୍ୟରେ ଏହାକୁ ହଟାଇ ଦିଆଯାଇଛି। ହେଲେ ଏବେବି ମହାରାଷ୍ଟ୍ରର ସ୍ଥିତି ଉଦ୍‌ବେଗଜନକ ଥିବାରୁ ସେଠାରେ ଏବେବି ଲକ୍‌ଡାଉନ ଜାରି କରାଯାଇଛି। ତେବେ ବେଳକୁ ବେଳ ଏଠାରେ ସଂକ୍ରମଣ କମିବା ପରିବର୍ତ୍ତେ ବୃଦ୍ଧି ପାଉଥିବାରୁ ଏହା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ରାଜ୍ୟରେ ଜୁନ୍‌ ୩୦ ପରେ ବି ଲକ୍‌ଡାଉନ ଜାରି ରହିବ। ଏଥିରେ ଧୀରେଧୀରେ କୋହଳ କରାଯିବ ବୋଲି ସେ କହିଛନ୍ତି। ଯଦି କେହି ସାମାଜିକ ଦୂରତା ପାଳନ ନ କରନ୍ତି ତେବେ ଲକ୍‌ଡାଉନ ନିୟମରେ କୋହଳ କରାଯିବ ନାହିଁ। ଆଗକୁ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ସେ ଆହୁରି ମଧ୍ୟ ମହାରାଷ୍ଟ୍ରବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେବେବି କରୋନା ଚିକିତ୍ସା ପାଇଁ ଔଷଧ ଆସିଯିବ ସେ ଏହାକୁ ଯଥାଶୀଘ୍ର ସମ୍ଭବ ରାଜ୍ୟକୁ ଆଣିବାକୁ ଚେଷ୍ଟା କରିବେ। ମହାରାଷ୍ଟ୍ରରେ ସୋମବାର ଏକ ପ୍ଲାଜମା ଥେରାପି ସେଣ୍ଟର ଖୋଲାଯିବାକୁ ଥିବା ବେଳେ ରାଜ୍ୟରେ ସର୍ବାଧିକ ପ୍ଲାଜମା ଥେରାପି ଟ୍ରିଟମେଣ୍ଟ ହୋଇପାରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରବିବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୯,୧୩୩ରେ ପହଞ୍ଚିଥିବା ବେଳେ ଏହା ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Share