Categories: ଜାତୀୟ

କେରଳରେ ପୁଣି ହେବ କି ଲକ୍‌ଡାଉନ! ନିପା ସଂକ୍ରମଣକୁ ନେଇ ସ୍କୁଲ, କଲେଜ ବନ୍ଦ

ଥିରୁଭାନନ୍ତପୁରମ,୧୪।୯: କେରଳର ନିପା ସଂକ୍ରମଣକୁ ନେଇ ଆତଙ୍କ ଦେଖାଯାଇଛି। କୋଜିକୋଡେରେ ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି। ଏଠାରେ ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି। କଣ୍ଟେଣ୍ଟମେଣ୍ଟ ଜୋନ କଡାକଡି କରିବା ସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

କୋଜିକୋଡେ ଜିଲାର ସାତୋଟି ପଞ୍ଚାୟତରେ ସମସ୍ତ ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡି କେନ୍ଦ୍ର, ବ୍ୟାଙ୍କ ଏବଂ ସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡିକ ସକାଳ ସାତଟାରୁ ସଂଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ନିପା ଭାଇରସ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ରାଜ୍ୟରେ ଆଲର୍ଟ ଜାରି କରିଛନ୍ତି।

କେରଳରେ ନିପା ମାମଲା ସାମ୍ନାକୁ ଆସିବା ପରେ କର୍ନାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ପ୍ରଶାସନ ଜିଲାରେ ସତର୍କ ସୂଚନା ଜାରି କରିଛନ୍ତି। ଜଲାରେ ପ୍ରବେଶ କରୁଥିବା ଯାନକୁଡିକୁ ଯାଞ୍ଚ କରିବା ପାଇଁ ସୀମାରେ ଚେକପୋଷ୍ଟ ଖୋଲିବାକୁ ସ୍ବାସ୍ଥ୍ୟ ବିଭାଗ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କେରଳରୁ କର୍ନାଟକରେ ପ୍ରବେଶ କରୁଥିବା ଫଳଗୁଡିକୁ ଯାଞ୍ଚ କରିବାକୁ ମଧ୍ୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

Share