କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଠି ପୁଣିଥରେ ଲାଗୁ ହେବ ଲକ୍‌ଡାଉନ

ଜାକର୍ତ୍ତା,୧୪ ।୯: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆମେରିକା ଓ ଭାରତରେ ଦିନକୁ ପାଖାପାଖି ୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେବା ଏବେ ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଇଣ୍ଡୋନେସିଆରେ ବି କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସୋମବାରଠାରୁ ପୁଣିଥରେ ଜାକର୍ତ୍ତା ସହରରେ ଲକ୍‌୍ ଡାଉନ୍ ଲାଗୁ ହେବାକୁ ଯାଉଛି । ସେଠାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଏବେ ଏମାନଙ୍କ ଚିକିତ୍ସା ଲାଗି ହସ୍ପିଟାଲରେ ସ୍ଥାନର ଅଭାବ ଥିବାରୁ ପୁଣିଥରେ ସେଠାକାର ସରକାର ଲକ୍‌ଡାଉନକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଜାକର୍ତ୍ତାର ରାଜ୍ୟପାଳ ଅନିସ ବସବଦନ ସେପ୍ଟେମ୍ବର ୮ରେ ଘୋଷଣା କରିଥିଲେ ଯେ ସମ୍ପୂର୍ଣ୍ଣ ସହରରେ ପୁଣିଥରେ କଡା ନିୟମ ସହ ସାମାଜିକ ଦୂରତା ରକ୍ଷା କରିବା ଭଳି ପ୍ରତିବନ୍ଧକ ଲଗାଯିବ । ସେଠାରେ ଲକ୍‌ଡାଉନ ଜାରି ହେବା ପରେ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ବନ୍ଦ ରହିବ ବୋଲି ରାଜ୍ୟପାଳ କହିଛନ୍ତି । ଆଉ ପ୍ରତ୍ୟେକ ନାଗରିକ କରୋନାକୁ ଦୂରେଇବା ପାଇଁ ଲକ୍‌ଡାଉନରେ ଲାଗୁ କରାଯାଇଥିବା ସମସ୍ତ ନିୟମ ପାଲିବେ ।

Share