ଲକଡାଉନ୍‌: ଓ୍ବାର୍କ ଫ୍ରମ୍‌ ହୋମ କରିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର,୧୭ା୭(ବ୍ୟୁରୋ)-କରୋନା ମହାମାରୀ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସମେତ ରାଉରକେଲା ମହାନଗର ନିଗମକୁ ଜୁଲାଇ ୧୭ ରାତି ୯ଟାରୁ ୩୧ ତାରିଖ ମଧ୍ୟରାତ୍ର ଯାଏ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହି ସବୁ ଜିଲାରେ ସରକାରୀ କର୍ମଚାରୀମାନେ ଘରେ ରହି କାମ କରିବେ( ଓ୍ବାର୍କ ଫ୍ରମ୍‌ ହୋମ୍‌)। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କୌଣସି କର୍ମଚାରୀ ଲକ୍‌ଡାଉନ ସମୟରେ ମୁଖ୍ୟାଳୟ (ହେଡ୍‌କ୍ୱାର୍ଟର୍ସ) ଛାଡି ବାହାରକୁ ଯାଇ ପାରିବେ ନାହିଁ। ଜରୁରୀ କାର୍ଯ୍ୟ ପାଇଁ ଆବଶ୍ୟକ ହେଲେ ସେହି କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ଅଫିସକୁ ଡାକି ପାରିବେ। ଏଥିସହିତ କର୍ମଚାରୀମାନେ ଏହି ଦୁଇସପ୍ତାହ ସବୁ ସମୟରେ ଟେଲିଫୋନରେ ଉପଲବ୍ଧ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପ୍ରକାର ବ୍ୟକ୍ତିଗତ ଉପସ୍ଥାନ ବୈଠକକୁ ବାରଣ କରାଯାଇଛି। ଏହି ସମୟରେ ଭର୍ଚୁଆଲ ବୈଠକ କରାଯାଇ ପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପ୍ରଶାସନିକ ବିଭାଗଗୁଡ଼ିକ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକୁ ନିଜର ଆବଶ୍ୟକତା ଅନୁଯାୟୀ ପରିଚାଳନା କରିପାରିବେ। ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଲକ୍‌ଡାଉନ ସମୟରେ ବିଭାଗଗୁଡ଼ିକ ଓ୍ବାର୍କ ଫ୍ରମ୍‌ ହୋମ୍‌ ପ୍ରୋଟୋକଲ୍‌ ଅନୁସରଣ କରିବାକୁ କୁହାଯାଇଛି। ସେମାନଙ୍କର କର୍ମଚାରୀମାନେ ଭିପିଏନ୍‌(ଭର୍ଚୁଆଲ ପ୍ରାଇଭେଟ୍‌ ନେଟ୍‌ଓ୍ବର୍କ) ବ୍ୟବହାର କରି ସମସ୍ତ ସରକାରୀ କାର୍ଯ୍ୟ ଓସ୍‌ଓ୍ବାସ ଜରିଆରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବେ। ଏହି ଲକ୍‌ଡାଉନ ସମୟରେ ଜିଲା କାର୍ଯ୍ୟାଳୟ, ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ, ମହାନଗର ନିଗମ କାର୍ଯ୍ୟାଳୟ, ପୋଲିସ, ଅଗ୍ନିଶମ, ମେଡିକାଲ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟ ଖୋଲା ରହିବ।

Share